ପାରମ୍ପରିକ ବାଦ୍ୟରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ, ୭।୧୧ – ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ବୁଧବାର ଥିଲା ଭସାଣି ଉତ୍ସବ। ଗତ ୨୭ ତାରିଖରୁ ୧୦ ଦିନ ଧରି ପୂଜା ପାଇଆସୁଥିବା ମା’ କାଳୀ ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମା’ଙ୍କୁ ବିଦାୟ ଦେଇଛନ୍ତି ଭଦ୍ରକବାସୀ। ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ସହର ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଶାସନର ନିୟମ ଅନୁସାରେ ଭସାଣିରେ ପାରମ୍ପରିକ ବାଦ୍ୟବାଜଣାରେ ମା’ ଙ୍କୁ ବିସର୍ଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଶୋଭାଯାତ୍ରା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।
ଭଦ୍ରକ ସହରରେ ୧୦ଦିନ ଧରି ମା’ଙ୍କୁ ୯ଟି ଅସ୍ଥାୟୀ ମଣ୍ଡପରେ ଆବାହନ କରି ସ୍ବତନ୍ତ୍ର ପୂଜା ପାଠ କରାଯାଇଥିଲା। ଚଳିତବର୍ଷ ପାଣିପାଗ ଭଲ ଥିବାରୁ କାଳୀପୂଜା ମାହୋଲକୁ ବେଶ୍‌ ଉପଭୋଗ କରିଛନ୍ତି ଜିଲା ଓ ଜିଲା ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ। ପୂଜା ପାଇଁ ଚରମ୍ପା ଅଞ୍ଚଳ ପ୍ରତ୍ୟେହ ଚଳଚଞ୍ଚଳ ହୋଇଉଠିଥିଲା। ଚରମ୍ପା ଅଞ୍ଚଳର ଷ୍ଟେଶନ ରୋଡ୍‌, ପିଡବ୍ଲ୍ୟୁଆଇ, ଓଏସ୍‌ଆର୍‌ଟିସି, ଡଗରାସାହି, ସ୍କୁଲରୋଡ୍‌, ବିଶାଣି ଖରିଦା ଓ ତେଲେଙ୍ଗାସାହିର ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଚଳିତବର୍ଷ ଚରମ୍ପା କେନାଲରେ ବିସର୍ଜନ କରାଯାଇଛି। ଏରେଇଁସ୍ଥିତ ମୂର୍ତ୍ତିକୁ ନିକଟରେ ଥିବା ଏକ ପୋଖରୀ ଏବଂ ରାଜଘାଟ ଛକସ୍ଥିତ ମା’ କାଳୀଙ୍କୁ ଶୋଭାଯାତ୍ରାରେ କଚେରି ବଜାର ପରିକ୍ରମା କରାଇବା ପରେ ଛପୁଲିଆ କେନାଲରେ ବିସର୍ଜନ କରାଯାଇଛି।