ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଗ୍ୟାସ୍‌ ଫାଟି ୩ ଛାତ୍ର ଆହତ

ବ୍ରହ୍ମପୁର ଅଫିସ, ୬।୮: ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଛାତ୍ରାବାସ-୧ରେ ମଙ୍ଗଳବାର ଗ୍ୟାସ୍‌ ପାଇପ ଫାଟି ୩ ଛାତ୍ର ଆହତ ହୋଇଛନ୍ତି । ସେମାନେ ହେଲେ ମୁକେଶ ପଣ୍ଡା, ରାକେଶ ରାଉତ, ଅଶ୍ୱିନୀ ନାୟକ ।
ହଷ୍ଟେଲ ତଳ ମହଲାରେ ଥିବା ରୋଷେଇ ଘରେ ସକାଳ ଜଳଖିଆ ପ୍ରସ୍ତୁତବେଳେ ହଠାତ୍‌ ଗ୍ୟାସ୍‌ ପାଇପ୍‌ ଫାଟିଯାଇଥିଲା। ଫଳରେ ରୋଷେଇ ଘରକୁ ଜଳଖିଆ ଆଣିବାକୁ ଯାଇଥିବା ମୁକେଶ, ରାକେଶ, ଅଶ୍ୱିନୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଛନ୍ତି। ପୂର୍ବରୁ ହଷ୍ଟେଲ ରୋଷେଇ ଘର ଗ୍ୟାସ ପାଇପକୁ ବଦଳାଇବାକୁ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ବହୁବାର କହିଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।