ପାରାଦୀପରେ ପୁଣି କାଉ ମଡ଼କ

ପାରାଦୀପ,୪ା୧(ସ୍ବ.ପ୍ର.): ପାରାଦୀପ ସହରାଞ୍ଚଳରେ ଚଳିତବର୍ଷ ପୁଣି କାଉମଡ଼କ ହେଉଥିବା ଦେଖିବାକୁ ମିଳିଛି। ସହରର ମେଡିକାଲ ଛକ, ମାଛ ମାର୍କେଟ, ନେହେରୁ ବଙ୍ଗଳା ଆଦି ସ୍ଥାନରେ ଅନେକ କାଉ ମରିଥିବା ଦେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୃତ କାଉର ନାଳ ରକ୍ତ ସଂଗ୍ରହ କରାଯାଇଛି। ସୂଚନାଥାଉକି, ୩ ବର୍ଷ ହେଲା ଶୀତଦିନନେ କାଉ ମରୁଛନ୍ତି। ୨୦୧୮ ମସିହାରେ ବ୍ୟାପକ କାଉ ମରିଥିଲେ ଏବଂ ସେହି ବର୍ଷ ବାର୍ଡ ଫ୍ଲୁ ଜୀବାଣୁ ଚିହ୍ନଟ ହୋଇଥିଲା। ପ୍ରାୟ ୬ ମାସ ପର୍ଯ୍ୟନ୍ତ କୁକୁଡ଼ା-ବତକ ଭଳି ପକ୍ଷୀ ଜାତୀୟ ମାଂସ ଖାଇବା ଉପରେ କଟକଣା ଲାଗୁ କରାଯାଇଥିଲା। କାଉ ମଡ଼କ ସମ୍ପର୍କରେ ପ୍ରାଣୀଧୀନ ଚିକିତ୍ସିକ ଡା. ଦେବାଶିଷ ରାଉତ କୁହନ୍ତି, ମାତ୍ର ୨ରୁ ୩ଟି କାଉ ମରିଥିବା ଦେଖିବାକୁ ପାଇଛୁ। ଏହା ବାର୍ଡ ଫ୍ଲୁ ମଡ଼କ ଭଳି ନୁହେଁ। ତଥାପି ଆମେ ମଲା କାଉର ନାଳ ସଂଗ୍ରହ କରିଛୁ। ଶୀତ, ବର୍ଷା ଓ କୋହଲା ପାଗ ଯୋଗୁ ମରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Share