Categories: ବାଣିଜ୍ୟ

ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏବଂ ୩୭୦ ମିଟର ଏହି ଲମ୍ବା ଟର୍ମିନାଲ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ଲୁହାପଥର ଏବଂ ପେଲେଟ ରପ୍ତାନି ଲାଗି ବୃହତ୍ତ ଆକାରର ଜାହାଜ ଏଠାରେ ପରିଚାଳନା କରାଯାଇ ପାରିବ। ଏଠାରେ ଦୈନିକ ୧ ଲକ୍ଷ ଟନ୍‌ ମାଲ ଲୋଡ କରାଯାଇ ପାରିବ। ଉକ୍ତ ଟର୍ମିନାଲ ସ୍ଥାପନ ଲାଗି କମ୍ପାନୀ ୭୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି। ସମୁଦ୍ର ପଥରେ ଲୁହାପଥର ପରିବହନ ଲାଗି ପାରାଦୀପ ଏକ ଆକର୍ଷଣୀୟ ସ୍ଥାନ ପାଲଟିଥିବା ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟକଚରର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅରୁଣ ମାହେଶ୍ୱରୀ କହିଛନ୍ତି। ଏହା ଦ୍ରୁତ ବେଗରେ ମାଲ୍‌ ବୋଝେଇ ଏବଂ ମାଲ ପରିଚାଳନା କ୍ଷତିକୁ କମାଇବା ଦିଗରେ ସହାୟକ ହୋଇ ପାରିବ। ଗ୍ରୀନ ଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଜରିଆରେ ଲକ୍ଷ୍ୟ ହାସଲ ଲାଗି ଯୋଜନା ହାତକୁ ନିଆଯାଇଥିବା ମାହେଶ୍ୱରୀ କହିଛନ୍ତି।

Share