ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏଡିଏମ୍‌ କାହ୍ନୁଚରଣ ଧୀର, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଯୋଗ ଦେଇଥିଲେ। କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ହେଉଛି। କିନ୍ତୁ ନୌବାଣଜ୍ୟରସ୍ଥାନ ପାରାଦୀପରେ ଏହି ମହୋତ୍ସବ ସ୍ବତନ୍ତ୍ର ବୋଲି ଅତିଥିମାନେ କହିଥିଲେ। ଏଥିସହିତ ଅତିଥି ୨୮ ବର୍ଷ ଧରି ଚାଲିଥିବା ଏହି ମହୋତ୍ସବର ସ୍ମୃତିଚାରଣ କରିଥିଲେ। ସେହିପରି ବାଲିଯାତ୍ରାରେ ଟେଣ୍ଡରକୁ ନେଇ ଯେଉଁ ବିବାଦ ଦେଖା ଦେଇଥିଲା ତାହା ଅଯୌକ୍ତିକ ବୋଲି ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ତଥା ଉପଜିଲାପାଳ ଧୀର କହିଥିଲେ। ଆସନ୍ତା ବର୍ଷ ବାଲିଯାତ୍ରାକୁ ସ୍ବତନ୍ତ୍ରଭାବେ ଆୟୋଜନ କରାଯିବ ବୋଲି ବିଧାୟକ ସମ୍ବିତ ଘୋଷଣା କରିଥିଲେ। ସଭାକୁ ଜିଲାପାଳ ମହାପାତ୍ର ପରିଚାଳନା କରିଥିଲେ। ବୁଲ୍‌ବୁଲ୍‌ ବାତ୍ୟା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇ ମହୋତ୍ସବ ହୋଇଥିବାରୁ ଜିଲାପାଳଙ୍କୁ ସମସ୍ତ ବକ୍ତା ପ୍ରଶଂସା କରିଥିଲେ। ଏଥିରେ ସାମିଲ ହୋଇଥିବା କଟକ କମଟି ସଦସ୍ୟାସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ନିର୍ବାହୀ ଅଧିକାରୀ ମହାନ୍ତି ଧନ୍ୟବାଦ ଦେଇଥିଲେ।