Categories: ଖେଳ

ପାରା ଅଲିମ୍ପିକ୍ସ ପାଇଁ ଜୟନ୍ତୀଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି) – କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡାଜଗତ ଆତଙ୍କିତ ଅବସ୍ଥାରେ ଥିବାବେଳେ ଗୁରୁବାର ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ଖୁସି ଖବର। ରାଜ୍ୟର ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏ ସମ୍ପର୍କରେ ପାରାଅଲିମ୍ପିକ୍ସ କମିଟି ପକ୍ଷରୁ ଇ-ମେଲ ଯୋଗେ ଜୟନ୍ତୀଙ୍କୁ ଜଣାଇ ଦିଆଯାଇଛି। କରୋନା ଭାଇରସ ଆତଙ୍କ ଯୋଗୁ ଏବେ ବିଶ୍ୱବ୍ୟାପୀ ଟୁର୍ନାମେଣ୍ଟଗୁଡ଼ିକ ବନ୍ଦ ରହିଛି। ତେଣୁ ର଼୍ୟାଙ୍କିଙ୍ଗ୍‌ ଭିତ୍ତିରେ ଜୟନ୍ତୀଙ୍କୁ ପାରା ଅଲିମ୍ପିକ୍ସ ଯୋଗ୍ୟତା ମିଳିଥିବା ଜଣାଯାଇଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଟୋକିଓରେ ହେବାକୁଥିବା ପାରାଅଲିମ୍ପିକ୍ସର ମହିଳା ୪୦୦ ମିଟର ଇଭେଣ୍ଟରେ ଭାଗନେବେ ପୁରୀ ସତ୍ୟବାଦୀ ଅଞ୍ଚଳର ଜୟନ୍ତୀ। ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ମହିଳା ଆଥଲେଟ୍‌ଭାବେ ଜୟନ୍ତୀ ପାରାଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇଛନ୍ତି। ପୂର୍ବରୁ ୨୦୦୮ରେ ଓଡ଼ିଶାର ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଟି୪୬ ପୁରୁଷ ୧୦୦ ମିଟର ରେସ୍‌ରେ ୧୧.୯୨ ସେକେଣ୍ଡ ସମୟ ନେବାରୁ ସେ ୫ମ ସ୍ଥାନରେ ରହିଥିଲେ। ଫଳରେ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ। ଏଥର ପାରା ବ୍ୟାଡ୍‌ମିଣ୍ଟନରେ ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଯୋଗ୍ୟତା ଅର୍ଜନ କରିବା ଶତ ପ୍ରତିଶତ ସମ୍ଭାବନା ରହିଛି। ପ୍ରମୋଦ ୨୦୧୯ରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରିବା ସହ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ସ୍ଥାନରେ ରହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୨୦୧୭ରେ ବେଜିଂରେ ଅନୁଷ୍ଠିତ ୫ମ ଚାଇନା ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଜୟନ୍ତୀ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ସେହିବର୍ଷ ସୁଇଜରଲାଣ୍ଡରେ ଆୟୋଜିତ ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସର ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ୨୦୧୭ରେ ଦୁବାଇରେ ଅନୁଷ୍ଠିତ ୟୁଥ୍‌ ଏସିଆନ ପାରା ଗେମ୍ସର ୨୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସର ୨୦୦ ମିଟରରେ ସେ ବ୍ରୋଞ୍ଜ ଏବଂ ୪୦୦ ମିଟରରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ପ୍ରକାଶଯୋଗ୍ୟ ଯେ, କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ଟୋକିଓ ଅଲିମ୍ପିକ୍ସ ଘୁଞ୍ଚତ୍ବା ସମ୍ଭାବନା ଅଛି। ସେହି ଅନୁସାରେ ପାରାଅଲିମ୍ପିକ୍ସ ମଧ୍ୟ ଘୁଞ୍ଚତ୍ବା ଆଶଙ୍କା ରହିଛି।

Share