ପାରା ଦେହରେ ସ୍ବସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୦।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ମାଳଜଙ୍ଗଲ ଭିତରେ ବିଜେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିବା ପରେ ରଣପୁର ଚଳଚଞ୍ଚଳ ହୋଇଉଠିଥିଲା ।ପ୍ରତ୍ୟେକ ବର୍ଷ ମା’ ଖିଲାମୁଣ୍ଡାଙ୍କୁ ଦଶହରା ଦିନ ଭକ୍ତମାନେ ରଣପୁର ଦଶହରା ପଡିଆରେ ପୂଜାର୍ଚ୍ଚନା କରି ବିଦାୟ ଦେଇଥାନ୍ତି ା ସେହି ବିଦାୟ ବେଳେ ସାତ ଥର ତୋପ ସଲାମି ଦିଆଯାଇଥାଏ । ତା’ପରେ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ ଫେରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହିଭଳି ଏକ ନିଆରା ଉତ୍ସବ ଦେଖିବା ପାଇଁ ରଣପୁର ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଚଳିତ ବର୍ଷ ରୁଣ୍ଡ ହୋଇଥିଲେ ।
ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ କାଠି ସାହାଯ୍ୟରେ ମା’ ଖିଲାମୁଣ୍ଡା ଆସି ରଣପୁର ରାଜବାଟୀରେ ରହି ପୂଜା ପାଆନ୍ତି। ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ମା’ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ରାଜନଅରରୁ ସୋମବାର ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କ ସହିତ ରଣପୁର ରାଜା ସାହେବ ଦିଲୀପ ଚନ୍ଦ୍ର ସିଂଦେଓ, ସେନାପତି, ମନ୍ତ୍ରୀ, କଟୁଆଳ ଏବଂ ରାଜ ପୁରୋହିତଙ୍କ ସମେତ ହଜାର ହଜାର ଭକ୍ତ ଏକତ୍ର ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଘଣ୍ଟା କାହାଳି ବାଦ୍ୟ ସହ ବାଣ ଫୁଟାଇ ଶୋଭାଯାତ୍ରାରେ ରଣପୁର ସହର ପରିକ୍ରମା ପରେ ମା’ ଖିଲାମୁଣ୍ଡାଙ୍କୁ ହାଟସାହିଠାରେ ଥିବା ଦଶହରା ପଡିଆରେ ପହଞ୍ଚାଇ ଥିଲେ । ସେଠାରେ ରାଜା ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟ ପୂର୍ବରୁ ପ୍ରସ୍ତୁତ ଥିବା ଏକ ପାରାକୁ ଆକାଶକୁ ଛଡ଼ାଯାଇଥିଲା। ଅନ୍ଧାର ରାତିରେ ଉକ୍ତ ପାରା ଦେହରେ ମା’ ଖିଲାମୁଣ୍ଡା ବିଜେ କରି ରାଆଁଳକୁ ଚାଲିଯାଇଥିଲେ । ଠିକ୍‌ ସେହି ସମୟରେ ମା’ଙ୍କୁ ବିଦାୟ ଦେବା ପାଇଁ ୭ ଥର ତୋପ ଧ୍ୱନିରେ ସଲାମି ଦିଆଯାଇଥିଲା । ଏଠାରୁ ଛଡ଼ା ଯାଇଥିବା ପାରା ପରଦିନ ମାଳ ଅଞ୍ଚଳରେ ଥିବା ମା’ଙ୍କ ମନ୍ଦିର ପାଖରେ ମରିପଡିଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ । ମା’ ଖିଲାମୁଣ୍ଡା ନିଜ ଆସ୍ଥାନକୁ ଫେରିଆସିଲେ ବୋଲି ଏହି ଅଞ୍ଚଳର ଆଦିବାସୀମାନଙ୍କ ବିଶ୍ୱାସ ରହିଛି।

Share