ପାରିବାରିକ ଅଶାନ୍ତି: ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିବା ପରେ ଟାଙ୍ଗିଦେଲେ ସ୍ବାମୀ

କୋରାପୁଟ,୧୬ା୭(ସ୍ବ.ପ୍ର.): ଦମ୍ପତିଙ୍କ ଭିତରେ ପାଟିତୁଣ୍ଡ ଚାଲେ। କିନ୍ତୁ ମଙ୍ଗଳବାର ଏହି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା। କ୍ରୋଧରେ ଉନ୍ମତ୍ତ ସ୍ବାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ରଶି ଲଗାଇ ମୃତଦେହକୁ ଘରେ ଟାଙ୍ଗିଦେଇଛନ୍ତି। କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଦଶମନ୍ତପୁର ବ୍ଲକରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଫଟକିଜାମ ଗ୍ରାମର ପାଲମା ବାଘ ଓ ସ୍ତ୍ରୀ ଚମ୍ପାବତୀଙ୍କ ମଧ୍ୟରେ ମଙ୍ଗଳବାର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପାଲମା ଠେଙ୍ଗାରେ ସ୍ତ୍ରୀ ଚମ୍ପାବତୀଙ୍କୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଜ ଦୋଷ ଲୁଚାଇବା ପାଇଁ ସେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ କରିଥିଲେ। ସ୍ତ୍ରୀଙ୍କ ମୃତଦେହକୁ ରଶି ଲଗାଇ ଘରେ ଟଙ୍ଗାଇ ଦେଇଥିଲେ। ଦଶମନ୍ତପୁର ଥାନା ପୋଲିସ ଆତ୍ମହତ୍ୟା ଖବର ପାଇବା ପରେ ପାଲମାଙ୍କ ଘରୁ ମୃତଦେହ ଜବତ କରିଥିଲା। ଏହାସହ ପାଲମାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।