ପାରିବାରିକ କଳହରୁ ହତ୍ୟାକାଣ୍ଡ: ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ, ଦୈତାରୀ ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର,୨।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା(ରାଘପୁର) ସାହିରେ ମଙ୍ଗଳବାର ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଣ ମୁର୍ମୁ(୧୭)।

ସୂଚନାନୁଯାୟୀ, ସନ୍ଧ୍ୟାରେ ବଡ଼ଭାଇ ରେପ ମୁର୍ମୁ ଘରକୁ କୁକୁଡ଼ା ଆଣିଥିଲେ। ଘରେ ରୋଷେଇ ହେବା ପରେ ରେପ ଏବଂ ସାନଭାଇ କରଣଙ୍କ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ କଳହ ସୃଷ୍ଟି ହୋଇଥିଲା। ରେପ ତିଆରି କରିଥିବା ନୂଆ ଘରେ କରଣଙ୍କୁ ଭାଗ ନ ଦେବା ପାଇଁ ଚାହୁଁଥିଲେ। ବଡ଼ଭାଇଙ୍କ ରାଗକୁ ଦେଖି କରଣ ଜମିରେ ଫସଲ ଜଗିବା ପାଇଁ ଚାଲିଯାଇଥିଲେ। ହେଲେ ସେ ସାଙ୍ଗରେ ପଡ଼ୋଶୀ ରଘୁ ମାରାଣ୍ଡିଙ୍କୁ ନେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। କରଣଙ୍କ ପଛେ ପଛେ ରେପ ଟାଙ୍ଗିଆ ଧରି ହତ୍ୟା କରିବା ପାଇଁ ରଘୁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ସାନଭାଇଙ୍କ ପଛପଟ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ କରଣଙ୍କ ମୃତ୍ୟୁ ଘଟିଥିଲା। ପଡ଼ୋଶୀମାନେ ରେପଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ କରିବା ନିମନ୍ତେ ଆନନ୍ଦପୁର ମେଡିକାଲକୁ ପଠାଇଥିବା ପୋଲିସ ସୂଚନା ଦେଇଛି।

Share