ପାରିବାରିକ କଳହର କରୁଣ ପରିଣତି: କାଠ ଫାଳିଆ ମାଡ଼ରେ ଶିଶୁ କନ୍ୟା ଜୀବନ ଗଲା

ଆନନ୍ଦପୁର,୧୬। ୧୦(ସ୍ବ.ପ୍ର.)-ପାରିବାରିକ କଳହବେଳେ ୫ମାସର ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏହି ଶିଶୁକନ୍ୟାକୁ କୋଳରେ ଧରି ତାଙ୍କ ମା’, ଝଗଡ଼ା କରୁଥିବା ତାଙ୍କ ସ୍ବାମୀଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। ଏଥିରେ ସ୍ବାମୀ ଉତ୍ତେଜିତ ହୋଇ ସ୍ତ୍ରୀଙ୍କୁ ଏକ କାଠଫାଳିଆରେ ପିଟିବାବେଳେ ଏହା ଶିଶୁକନ୍ୟା ମୁଣ୍ଡରେ ବାଜିଥିଲା। ଗୁରୁତର ଆହତ ହୋଇଥିବା ଏହି ଶିଶୁ କନ୍ୟାଙ୍କର ପରେ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଆନନ୍ଦପୁର ପୌରପରିଷଦର ୧୩ ନଂ ଓ୍ବାର୍ଡରେ ମଙ୍ଗଳବାର ଘଟିଛି। ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ କୁମାର ପଣ୍ଡା କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇ ସାଉଁଟିସାହିରେ ପହଞ୍ଚି ପଚାରି ବୁଝିବା ପରେ ଏନେଇ ଘସିପୁରା ଥାନାକୁ ସୂଚନା ଦେଇଥିଲେ। ଘସିପୁରା ପୋଲିସ ପହଞ୍ଚି ଶିଶୁକନ୍ୟା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଚଳାଇଛି। ସାଉଁଟିସାହିରେ ଏକ ପରିବାରର ଭାଇ ଭାଇ ମଧ୍ୟରେ ଝଗଡା ହେବାବେଳେ ଶିଶୁକନ୍ୟା ମୁଣ୍ଡରେ କାଠଫାଳିଆ ମାଡ଼ ବାଜିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲା। ବାଟରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶିଶୁକନ୍ୟାଙ୍କ ମୃତଦେହ ଘରକୁ ଫେରାଇ ଆଣିଥିବାବେଳେ ଆନନ୍ଦପୁର ଏସଡିପିଓ ପଣ୍ଡା ପହଞ୍ଚି ଘଟଣା ସମ୍ପର୍କରେ ତନାଘନା କରିଥିଲେ। ମୃତ ଶିଶୁ କନ୍ୟାଙ୍କ ବାପା ଫେରାର ଥିବା ପୋଲିସ ସୂଚନା ଦେଇଛି।