ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ

କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨ ଭଉଣୀ ମୂଷାମରା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଦୀପା ଭୂୟଁା (୧୭) ଓ ଜିତା ଭୂୟଁା (୧୧)। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ନଂ.୭/୧୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ନାବାଳିକାଙ୍କ ବାପା ପଦ୍ମନାଭ ଭୂୟଁାଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ପଦ୍ମନାଭ ଶେରଗଡ ବ୍ଲକ ଢିଙ୍କିଶାଳ ଗ୍ରାମର ରୀତା ଭୂୟଁାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ଝିଅ ଦୀପା ଓ ଜିତା ଏବଂ ପୁଅ ଅଂଶୁ। ୪ବର୍ଷ ତଳେ କୌଣସି ଏକ ରୋଗରେ ରୀତାଙ୍କ ମୃତ୍ୟୁ ଘଟିଥିଲା। ମା’ଙ୍କ ମୃତ୍ୟୁପରେ ବଡଝିଅ ଦୀପା ନବମରୁ ପାଠ ଛାଡି ନିକଟରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସାନଝିଅ ଜିତା ନିକଟସ୍ଥ ଏକ ସ୍କୁଲରେ ୫ମ ଶ୍ରେଣୀରେ ପଢୁଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁର ବର୍ଷକ ପରେ ପଦ୍ମନାଭ ଶେରଗଡ଼ ପଞ୍ଚାୟତ ଖମାର ଗ୍ରାମର ନମିତା ଭୂୟାଁ (୩୫)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଅନ୍ୟ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ସେ ବାହାରେ ରୁହନ୍ତି। ଯାହା ରୋଜଗାର କରନ୍ତି ନିଶା ସେବନରେ ଚାଲିଯାଏ ବୋଲି କୁହନ୍ତି ସ୍ତ୍ରୀ ନମିତା। ଘରକୁ ଆସିଲେ ପିଲାମାନଙ୍କୁ ମାରଧର କରନ୍ତି। ସପ୍ତାହକ ତଳେ ପଦ୍ମନାଭ ସୁରଟରୁ ଘରକୁ ଆସିଥିଲେ। କୌଣସି ଏକ ସାମାନ୍ୟ କଥାକୁ ନେଇ ସେ ପିଲାମାନଙ୍କ ସହ ନମିତାଙ୍କୁ ମାର୍‌ପିଟ କରିଥିଲେ। ସାହିଲୋକେ ମିଶି ବୁଧବାର ଗ୍ରାମରେ ସଭା କରି ଶାନ୍ତିରେ ରହିବାକୁ ପଦ୍ମନାଭଙ୍କୁ ତାଗିଦ୍‌ କରିଥିଲେ। ମାତ୍ର ଗୁରୁବାର ପୁଣି ପଦ୍ମନାଭ ସ୍ତ୍ରୀ ଓ ୨ ଝିଅଙ୍କୁ ମାରଧର କରିଥିଲେ। ଏଥିରେ ଅତିଷ୍ଠ ହୋଇ ସନ୍ଧ୍ୟାରେ ୨ଝିଅ ଦୀପା ଓ ଜିତା ମୂଷାମରା ବିଷ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ କବିସୂର୍ଯ୍ୟନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଜିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୀପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
୨ ଭଉଣୀ ବିଷ ଖାଇବା ଘଟଣାରେ ପଦ୍ମନାଭଙ୍କୁ ଦାୟୀ କରି ଗୁରୁବାର ରାତିରେ ଗ୍ରାମବାସୀ ତାଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ। ଖବର ପାଇ ଆଇଆଇସି ତପନ କୁମାର ପତି ସଦଳବଳ ଗଁାରେ ପହଞ୍ଚତ୍ ପଦ୍ମନାଭଙ୍କୁ ଧରି ଥାନାକୁ ନେଇଛନ୍ତି। ତଦନ୍ତକାରୀ ଅଧିକାରୀ ଏସ. ଏନ. ପଟ୍ଟନାୟକ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ଶୁକ୍ରବାର ୨ ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ସନ୍ଧ୍ୟାରେ ଗଁାରେ ପହଞ୍ଚତ୍ବା ପରେ ଗ୍ରାମବାସୀ ସତ୍କାର କରିଛନ୍ତି।

Share