ପାର୍କିଂ ଫି’ ଦେବେ କମ୍ପାନୀ କର୍ତ୍ତୃପକ୍ଷ

ଯାଜପୁର ରୋଡ,୯।୮(ନି.ପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଦ୍ୱାର ଯାଜପୁର ରୋଡ ବା ବ୍ୟାସନଗର। ଶିଳ୍ପାଞ୍ଚଳର ୫୬ଟି ବସ୍‌ ଯାଜପୁର ରୋଡ ସହରରୁ ଦୈନିକ ଶିଳ୍ପାଞ୍ଚଳକୁ ଯାଉଛି। ସେମାନେ ପାର୍କିଂ ଫି’ ଦେଉ ନ ଥିଲେ। ଜିନ୍ଦଲ ଷ୍ଟିଲ, ରୋହିତ ଫେରୋଟେକ୍‌, ଟାଟା ଷ୍ଟିଲ, ଭିସା ଷ୍ଟିଲ, ନୀଳାଚଳ, ଇମ୍ଫା, ସାରୁଆବିଲ୍‌ ମାଇନ୍ସ, ବାଲେଶ୍ୱର ଆଲଏଜ, ଅଟୱାଲ ପ୍ରଭୃତି କମ୍ପାନୀ କର୍ତ୍ତୃପକ୍ଷ ଚଳିତ ମାସରୁ ବସ୍‌ ପାଇଁ ଦୈନିକ ୫୦ଟଙ୍କା ପାର୍କିଂ ଫିସ୍‌ ଦେବେ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ା ଏହି ବୈଠକରେ ପାର୍କିଂ ଫି’ ବାବଦରେ ଆଲୋଚନା ହୋଇଥିଲା। ପାର୍କିଂ ଫି’ ଦେବା ପାଇଁ ସବୁ କମ୍ପାନୀ ପ୍ରତିନିଧିମାନେ ରାଜି ହୋଇଥିଲେ। ଏ ସମ୍ପର୍କରେ ମଧ୍ୟ ଏକ ପ୍ରସ୍ତାବ ଆଗତ ହୋଇଛି। ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରି ସପନ କୁମାର ନନ୍ଦ, କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କମ୍ପାନୀ ପ୍ରତିନିଧି ଓ ଖଣି ଅଞ୍ଚଳ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବ୍ୟାସନଗର ପୌର ପରିଷଦର ରାଜସ୍ବ ବଢାଇବା ପାଇଁ ପାର୍କିଂ ଫି’ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଏଡିଏମ୍‌ ମିଶ୍ର ସୂଚନା ଦେଇଛନ୍ତି।