Categories: ଭଦ୍ରକ

ପାର୍ବଣ: ଗଁ।ଠୁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୬।୧୦- ପାର୍ବଣ ପାଇଁ ଗଁ।ଠୁ ସହର ସବୁଠି ଉତ୍ସବମୁଖର। ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ପରିବେଶ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ଜିଲା ମୁଖ୍ୟାଳୟ, ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳରେ ଚଳିତବର୍ଷ ୧୨୨ଟି ଛୋଟବଡ଼ ଅସ୍ଥାୟୀ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇଛି। ଭଦ୍ରକ ସହରରେ ପ୍ରାୟ ୨୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ଶନିବାର ସ୍ଥାୟୀ ମନ୍ଦିରରେ ଅଷ୍ଟମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ସହରର ଗାନ୍ଧୀପଡ଼ିଆ, ବାଇପାସ୍‌, ବଙ୍କବାସୁଳୀ ମନ୍ଦିର, ଚରମ୍ପା ସ୍କୁଲ ରୋଡ, ଆରଡି ରୋଡ୍‌ ପ୍ରାଚୀନଗର, ଚରମ୍ପା ଏରେଇଁ, ଷ୍ଟେଶନ ରୋଡ ବଜାର କମିଟି, ପୁରୁଣା ଓଏସ୍‌ଆର୍‌ଟିସି କ୍ୟାମ୍ପସ, ଚରମ୍ପା ଡଗରାସାହି, ଜାନୁଗଞ୍ଜ, ଗବସାହି, ସଙ୍ଗତ, ପୁରୁଣାବଜାର, ଗରଦପୁର ଭଳି ବିଭିନ୍ନ ସ୍ଥାନରେ ମଣ୍ଡପରେ ମା’ଙ୍କୁ ଆରାଧନା କରାଯାଉଛି। ପ୍ରଶାସନିକ କଟକଣା କାରଣରୁ ସହରରେ ମୁଖ୍ୟରାସ୍ତା ଉପରେ କୌଣସି ତୋରଣ ହୋଇ ନ ଥିଲେ ମଧ୍ୟ ପୂଜା ମଣ୍ଡପ ନିକଟରେ ସ୍ବାଗତ ତୋରଣ ଆକର୍ଷଣ ସାଜିଛି। ଗାନ୍ଧୀପଡ଼ିଆ ପୂଜା ମଣ୍ଡପ ପକ୍ଷରୁ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ବିପଦ ବାରୁଆଳୀ ବେଶ୍‌ ଚିତାକର୍ଷକ ହୋଇଛି। ପ୍ରତି ମଣ୍ଡପରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରାଯାଇପାରିବ ନାହିଁ ବୋଲି ପ୍ରଶାସନିକ ହୁଇପ୍‌ ଜାରି କରାଯାଇଛି। ଏହାକୁ ଆଖି ଆଗରେ ରଖି ପୂଜା ମଣ୍ଡପ କର୍ମକର୍ତ୍ତା ସତର୍କ ଅଛନ୍ତି। ସହରର ମୁଖ୍ୟରାସ୍ତା ଡିଭାଇଡର ତଥା ପାର୍ଶ୍ୱରେ ରଙ୍ଗିନ ଲିଚୁମାଳରେ ସହର ଝଲସୁଛି। ପ୍ରାୟତଃ ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ମଣ୍ଡପଗୁଡ଼ିକରେ ଖର୍ଚ୍ଚକାଟ୍‌ କରାଯାଇଥିବା କମିଟି କର୍ମକର୍ତ୍ତା ପ୍ରତିକ୍ରିୟା ରଖିଛନ୍ତି। ଶନିବାର ସପ୍ତମୀ ପୂଜା ସରିଥିବା ବେଳେ ରବିବାର ମହାଷ୍ଟମୀ, ସୋମବାର ନବମୀ ପୂଜା ଓ ମଙ୍ଗଳବାର ଦଶହରା ଉତ୍ସବ ଅନୁଷ୍ଠିତ ହେବ। ପ୍ରାୟ ସମସ୍ତ ମଣ୍ଡପରେ ଆସନ୍ତା ୯ ତାରିଖରେ ଭସାଣି ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।