Categories: ଜାତୀୟ

ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲିରୁ ଓହରି ନାହାନ୍ତି ଚାଷୀ

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ରଦ୍ଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲି କରିବା ନିଷ୍ପତ୍ତିରୁ ଓହରି ନାହାନ୍ତି ଆନ୍ଦୋଳନରେ ସକ୍ରିୟ ଥିବା ଚାଷୀ ସଂଗଠନ। ଆସନ୍ତା ୨୯ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରତିଦିନ ୫୦୦ ଚାଷୀ ପାର୍ଲାମେଣ୍ଟ ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବେ ବୋଲି ଘୋଷଣା ହୋଇଥିଲା।

ତେବେ ଟ୍ରାକ୍ଟର ରାଲି ସମ୍ପର୍କରେ ରବିବାର ନିଷ୍ପତ୍ତି ନେବେ ସକ୍ରିୟ ଥିବା କୃଷକ ସଂଗଠନଗୁଡ଼ିକ। ଏ ନେଇ ରବିବାର ସିଙ୍ଘୁ ସୀମାରେ ବୈଠକ ଡକାଯାଇଛି। ଏଥିରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ ବୋଲି ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) କୋର୍‌ କମିଟି ସଦସ୍ୟ ଦର୍ଶନ ପାଲ୍‌ ସୂଚନା ଦେଇଛନ୍ତି।

କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଏସ୍‌କେଏମ୍‌ ସ୍ବାଗତ କରିଛି। ତେବେ ପାର୍ଲାମେଣ୍ଟରେ ଏହା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଚାଷୀମାନେ ଅପେକ୍ଷା କରିବେ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ଗ୍ୟାରେଣ୍ଟି ଏବଂ ବିଦ୍ୟୁତ ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Share