Categories: ଜାତୀୟ

ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି

ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏନେଇ ସ୍ଲୋଗାନ ଦେଇଛନ୍ତି।
ଲୋକ ସଭାରେ ପ୍ରଥମଥର ପାଇଁ ରାହୁଲଙ୍କ ସ୍ଲୋଗାନ ଶୁଣିବାକୁ ମିଳିଛି। ରାହୁଲ ମଧ୍ୟାହ୍ନରେ ନିମ୍ନ ସଦନକୁ ଆସିଥିଲେ। ସେହି ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ନାଟକ ପ୍ରସଙ୍ଗ ଉଠାଇ ଶାସକ ଦଳ ବିଧାୟକଙ୍କୁ ଶିକାର କରୁଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗର ଉତ୍ତର ସୋମବାର ଗୃହର ଉପନେତା ରାଜନାଥ ସିଂ ଦେଇସାରିଥିବାରୁ ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରସଙ୍ଗରେ ବିତର୍କ ପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ଅଧୀର ପୁଣିଥରେ ପ୍ରସଙ୍ଗ ଉଠାଇ ଗଣତନ୍ତ୍ରର ସୁରକ୍ଷା ଆପଣଙ୍କ କର୍ତ୍ତବ୍ୟ ବାଚସ୍ପତିଙ୍କୁ କହିଥିଲେ। କଂଗ୍ରେସ ସଦସ୍ୟମାନେ ତାଙ୍କ ପଛରେ ଛିଡ଼ାହୋଇ ‘ଏକଚ୍ଛତ୍ରବାଦ ବନ୍ଦ କର’ ଓ ‘ଶିକାର ରାଜନୀତି ବନ୍ଦ କର’ ବୋଲି କହୁଥିବାବେଳେ ରାହୁଲ ସେମାନଙ୍କ ସହ ମିଶି ଅନୁରୂପ ସ୍ଲୋଗାନ ଦେଇଥିଲେ। ପରେ ସମସ୍ତ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। ରାଜ୍ୟ ସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ଅନୁରୂପ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ କଂଗ୍ରେସ, ଟିଏମ୍‌ସି, ସିପିଆଇ ଏବଂ ସିପିଆଇଏମ୍‌ ସଦସ୍ୟମାନେ ବିକ୍ଷୋଭ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏଥିରୁ କ୍ଷାନ୍ତ ରହିବାକୁ ଉପାଧ୍ୟକ୍ଷ ହରିବଂଶ ଅନୁରୋଧ କରିଥିଲେ ହେଁ ସେମାନେ ମାନି ନ ଥିଲେ। ଶେଷରେ ଉଚ୍ଚ ସଦନର ଗୃହକାର୍ଯ୍ୟକୁ ବୁଧବାର ଯାଏ ସ୍ଥଗିତ କରାଯାଇଛି।

Share