Categories: ଜାତୀୟ

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର ପାର୍ଲାମେଣ୍ଟରେ ଜୋରଦାର ହଟ୍ଟଗୋଳ ହେବା ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକ ସଭାରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ର ଘଟଣାର ପ୍ରତିବାଦ କରାଯାଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସି ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଓମ୍‌ ବିର୍ଲା ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ, ପରେ ଅପରାହ୍ନ ୨ଟା ଏବଂ ଶେଷରେ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟ ସଭାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ହୋ-ହଲ୍ଲା କରିଥିଲେ। ମହାରାଷ୍ଟ୍ର ପ୍ରସଙ୍ଗରେ ଆଲୋଚନା ପାଇଁ ସେମାନେ ଅଡି ବସିଥିଲେ। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ଆଲୋଚନା କରାଯାଇପାରିବ ନାହିଁ ବୋଲି ଉପାଧ୍ୟକ୍ଷ ହରିବଂଶ କହିଥିଲେ। ଆଲୋଚନା ଦାବିରେ ବିରୋଧୀ ଗୃହକାର୍ଯ୍ୟ ଚଳାଇ ଦେଇ ନ ଥିଲେ। ଶେଷରେ ଗୃହକୁ ଦିନକ ପାଇଁ ମୁତଲବୀ ରଖାଯାଇଥିଲା।

Share