Categories: ଜାତୀୟ

ପାର୍ଲାମେଣ୍ଟରେ ସିଏଏ ଝଡ଼

ନୂଆଦିଲ୍ଲୀ,୬ା୨(ପି.ଟି.):  କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବୁଧବାର ପାର୍ଲାମେଣ୍ଟର ଉଭୟ ଗୃହରେ ଝଡ଼ ସୃଷ୍ଟି ହୋଇଛି। ଲୋକ ସଭାରେ ପ୍ରଶ୍ନକାଳରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସିଏଏକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳ ନେତାମାନେ ଦେଶର ସମ୍ବିଧାନ ବିପଦରେ ଅଛି ବୋଲି କହିବା ସହ ସିଏଏ ବିରୋଧୀ ବିକ୍ଷୋଭକୁ ସମର୍ଥନ କରିଛନ୍ତି।
ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ବିତର୍କରେ ଭାଗନେଇ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି, ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏକ ଷଡ଼ଯନ୍ତ୍ର, ଯାହାକୁ ଲୋକେ ଭଣ୍ଡୁର କରିଦେଇଛନ୍ତି। ଆମ ଲୋକମାନେ ତୁମଠାରୁ ସମ୍ବିଧାନକୁ ବଞ୍ଚାଇବା ପାଇଁ ପଦାକୁ ବାହାରୁଛନ୍ତି। ସବୁ ବର୍ଗର ଲୋକ ଏକାଠି ହୋଇ ଏହା ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି। ଭାଜପା ପଛଘୁଞ୍ଚା ଦେଇଥିବାରୁ ଏହା ଗଣତନ୍ତ୍ରର ବିଜୟ। ସରକାର ଭାରତକୁ ଦୁର୍ବଳ କରିପାରିବେ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଏହି ଦେଶକୁ ଗଢ଼ିଛୁ। ବହୁଳବାଦ ହେଉଛି ଦେଶର ହୃତ୍‌ସ୍ପନ୍ଦନ। ଏହାକୁ ଆମେ ସୁରକ୍ଷା ଦେବା ଉଚିତ ବୋଲି ଅଧୀର କହିଥିଲେ। ସେହିପରି ରାଜ୍ୟ ସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ଭାଜପା ଦେଶର ସାମାଜିକ ସମୀକରଣକୁ ଧ୍ୱଂସ କରିବା ପାଇଁ ଉଦ୍ୟମ କରୁଥିବାରୁ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରଠୁ ଏନ୍‌ସି ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ପଛରେ ସରକାରଙ୍କ କି ଉଦ୍ଦେଶ୍ୟ ଅଛି ବୋଲି ଏନ୍‌ସିପି, ଡିଏମ୍‌କେ, ଟିଡିପି ଏବଂ ଆର୍‌ଜେଡି ସଦସ୍ୟମାନେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଓ ନୂଆ ନାଗରିକତ୍ୱ ଆଇନ ଆଣିବା ପଦକ୍ଷେପ ଦେଶ ଓ ଗଣତନ୍ତ୍ରକୁ ମଜଭୁତ କରିଛି ବୋଲି ଭାଜପା ପକ୍ଷରୁ ଜବାବ ଦିଆଯଇଥିଲା। ଏହାସହ ଶାହିନବାଗ ବିକ୍ଷୋଭକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରୁଥିବାରୁ ଭାଜପା ଏହାର ଦୃଢ଼ନିନ୍ଦା କରିଥିଲା। ସବ୍‌କା ସାଥ୍‌, ସବ୍‌କା ବିକାଶରେ ବିଶ୍ୱାସୀ ଭାଜପା ସରକାର ଦେଶର ସାମାଜିକ ସହବସ୍ଥାନକୁ ସୁନିଶ୍ଚିତ କରୁଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନକ୍‌ଭୀ କହିଥିଲେ।

Share