ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି

ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍‌ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା ଦେଖାଯାଇଥିଲା। ରିପୋର୍ଟ ମୁତାବକ, ସଦନରେ କାର୍ଯ୍ୟ ଚାଲିଥିବାବେଳେ ଏମ୍‌ପି ତାମତି କଫି ଗୃହକୁ ନିଜ କୁନି ପୁଅକୁ ଧରି ଆସିଥିଲେ। କଫି ଗୃହକୁ ସମ୍ବୋଧିତ କଲାବେଳେ ଶିଶୁଟି କାନ୍ଦିଥିଲା। ଏହି ସମୟରେ ବାଚସ୍ପତି ଟ୍ରେଭୋର ମଲାର୍ଡ ଶିଶୁଟିକୁ ନିଜ ପାଖକୁ ଆଣିଥିଲେ। ତାର କାନ୍ଦ ବନ୍ଦ କରିବା ପାଇଁ ପିଲାଟିକୁ ବୋତଲରେ କ୍ଷୀର ମଧ୍ୟ ପିଆଇଥିଲେ। ବାଚସ୍ପତି ନିଜ ଟୁଇଟରରେ ଦୁଇଟି ଫଟୋ ଛାଡି କହିଛନ୍ତି, ସାଧାରଣତଃ ବାଚସ୍ପତିଙ୍କୁ ସିଟ୍‌ରେ ବସି ଗୃହ କାର୍ଯ୍ୟ ସମ୍ଭାଳୁଥିବାର ଦେଖାଯାଏ, ଆଜି କିନ୍ତୁ ମୋ ସହ ଏକ ନୂଆ ଅତିଥି ସିଟ୍‌ରେ ବସିଥିଲେ। ସୂଚନାଯୋଗ୍ୟ, ଯେବେଠୁ ମଲାର୍ଡ ବାଚସ୍ପତି ଦାୟିତ୍ୱ ଗ୍ରହଣ କଲେଣି ସେବେଠୁ ଗୃହରେ ନୂଆ ନୂଆ ପରିବର୍ତ୍ତନ ଆଣିଛନ୍ତି। ଗୃହରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିବାକୁ ସେ ସର୍ବଦା ଚେଷ୍ଟା କରିଛନ୍ତି। ବିଶେଷ ଭାବେ ମହିଳା ଏମ୍‌ପିମାନେ ନିଜ ଶିଶୁକୁ ଧରି ଗୃହକୁ ଆସିବାର ନିୟମ ମଧ୍ୟ ରହିଛି। କିଛିଦିନ ତଳେ ଜଣେ ମହିଳା ଏମ୍‌ପି ପାର୍ଲିଆମେଣ୍ଟରେ ନିଜ ଶିଶୁକୁ ସ୍ତନ୍ୟପାନ କରାଉଥିବାର ଦେଖାଯାଇଥିଲା।

Share