ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ନେଇ ବୈଠକ

ବ୍ରହ୍ମପୁର ଅଫିସ,୧୧।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ନିକଟ ତଥା ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ସମ୍ପର୍କରେ ରବିବାର ଏକ ସତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋବିନ୍ଦବିହାର ୫ମ ଗଳି ଶାନ୍ତି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ସହରତଳି ଅଞ୍ଚଳକୁ ବିଏମ୍‌ସିରେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ସାମିଲ କରାଯିବା ପ୍ରକ୍ରିୟା ଚାଲିଥିବା ସୂଚାଇଥିଲେ। ଖୁବ୍‌ଶୀଘ୍ର ଏନେଇ ଗୋପାଳପୁର ବିଧାୟକ, ଗୃହ ନଗର ଉନ୍ନୟନ ବିଭାଗ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ଏମ୍‌ପି ସାହୁ କହିଥିଲେ। ଏହି ଅବସରରେ ନବ ନିର୍ବାଚିତ ବିଧାୟକ ଓ ଏମ୍‌ପିଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ସଭାପତି ସଞ୍ଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share