ପାଲ୍‌ ପରିବାର ହତ୍ୟାକାରୀଙ୍କୁ ଦଣ୍ଡ ଦାବି

ବ୍ରହ୍ମପୁର ଅଫିସ,୧୬।୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦର ବନ୍ଧୁ ପ୍ରକାଶ ପାଲ୍‌, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ବର୍ଷର ଶିଶୁ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ପାଲ୍‌ ପରିବାରର ହତ୍ୟାକାରୀଙ୍କୁ ଦଣ୍ଡଦେବାକୁ ବୁଧବାର ଗଞ୍ଜାମ ଜିଲା ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ପ୍ରଦାନ କରାଯାଇଛି।
ଗତ କିଛିବର୍ଷ ହେଲା ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି ପଦକ୍ଷେପ ନେଉନାହାନ୍ତି। ଏଣୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା, ହତ୍ୟା ଘଟଣାର ସିବିଆଇ ତଦନ୍ତ, ଦୋଷୀଙ୍କୁ ଗିରଫ, ଏନ୍‌ଆର୍‌ସି ଲାଗୁ, ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ତଡିବା ଆଦି ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥି ସହିତ ମମତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନୀଳାଞ୍ଚଳ ବିଷୋୟୀ, ଗୌତମ ମହାରଣା, ରାହୁଲ ପାତ୍ର, ରମାକାନ୍ତ ରଥ, ମହନ୍ତ ଚିନ୍ମୟାନନ୍ଦ ଦାସ, ଅରୁଣ ପାଢ଼ୀଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ।