Categories: ଗଞ୍ଜାମ

ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି ପାହାଡ଼ରେ ବେଆଇନ ବିସ୍ଫୋରଣ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ରେଡ଼ିକା ସାହିର ବି. ବାଲାଜୀ ରେଡ୍ଡୀ, ଚନ୍ଦ୍ରଶେଖର ମନ୍ଦିର ସାହିର ଟୁକୁନା ବେହେରା, ବ୍ରହ୍ମପୁର ସଦର ଥାନା ଗୌତମୀ ଗ୍ରାମର ନିରଞ୍ଜନ ଜେନା, ଏନ. ବୁଲୁ ରେଡ୍ଡୀ, ବି. କୃଷ୍ଣ ରେଡ୍ଡୀ, ରମ୍ଭା ଥାନା ମଧୁରଚୁଆ ଗ୍ରାମର ଲକ୍ଷ୍ମଣ ନାହାକ, ଗୋପାଳପୁର ଥାନା ବସନ୍ତ ବିହାର ୪ର୍ଥ ଲେନର କୋରା ସେଠୀ, ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ପୁରୁଷୋତ୍ତମ ଚେଣ୍ଟି, ରାଜୁ ଦାସ, ହୀନ ଦଳେଇ, କେ. ସାମନ୍ତରାପୁର ଗ୍ରାମର ଏମ. ରାଘବ ରେଡ୍ଡୀ ଓ ଜି. ସନ୍ତୋଷ ରେଡ୍ଡୀ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ନଂ. ୧୪୪ ଓ ୧୪୫/୧୯ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ସଦର କୋର୍ଟରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପାହାଡ ଓ ଅଭିଯୁକ୍ତଙ୍କ ଘରୁ ଡ୍ରିଲିଂ, କମ୍ପ୍ରେସର ମେଶିନ, ୫୦ଟି ଜିଲୋଟିନ, ୮୫ ଡିଟୋନେଟର, ଫ୍ୟୁଜ୍‌ ତାର, ୩ ବାଇକ ସମେତ ବିସ୍ଫୋରଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି।
କୁକୁଡ଼ାଖଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୁବାସ ଚନ୍ଦ୍ର ରଇତଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନରେ ମହୁଡ଼ା ଗ୍ରାମ ନିକଟ ବାଲାଜୀ ରେଡ୍ଡୀଙ୍କ ନାଁରେ ଥିବା ପଥରକ୍ବାରି ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଜିଲୋଟିନ, ଡିଟୋନେଟର, ୩ ବାଇକ, ୫ ଟ୍ରାକ୍ଟର ଜବତ କରାଯାଇଥିଲା। ପରେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମସ୍ଥିତ କୋରା ସେଠୀଙ୍କ ଘରୁ ମଧ୍ୟ ପାହାଡ଼ ଫୁଟାଯିବା ପାଇଁ ଥିବା ବିସ୍ଫୋରକ ଜବତ କରାଯାଇଥିଲା। ପରେ ମହୁଡ଼ା ପାହାଡ଼ରେ ସନ୍ତୋଷ କୁମାର ବେହେରାଙ୍କ ନାଁରେ ଥିବା ପଥରକ୍ବାରିରେ ଚଢ଼ାଉ କରାଯାଇ ବିସ୍ଫୋରକ ଓ ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଡ୍ରିଲିଂ, କମ୍ପ୍ରେଶର ମେଶିନ ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଓ ମାଧବ ଚନ୍ଦ୍ର ଟାକରୀ କହିଛନ୍ତି। ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ସରଜମିନ ତଦନ୍ତ କରିଛନ୍ତି।