Categories: ଫୁରସତ

ପାହାଡ଼ର ୩ ହଜାର ଫୁଟ ଉପରେ ରହିଛି ହଜାରେ ବର୍ଷ ପୁରୁଣା ଗଣେଶଙ୍କ ମୂର୍ତ୍ତି

ରାୟପୁର: ଭାରତର ବିଭିନ୍ନ ସ୍ଥାନରେ ବହୁ ସାଂସ୍କୃତିକ ସ୍ଥାନ ରହିଛି। ସେଥିମଧ୍ୟରେ ଛତିଶଗଡ଼ ଦନ୍ତଓ୍ବାଡା ଜିଲାର ଦନ୍ତେଶ୍ୱରୀ କାଳି ଏବଂ ଗଣେଶଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍‌ ଜମିଥାଏ। ଢ଼ୋଲକଲ ପାହାଡ଼ରେ ଥିବା ପ୍ରଭୁ ଗଣେଶଙ୍କ ମନ୍ଦିରରେ ହଜାରେ ବର୍ଷ ପୁରୁଣା ମୂର୍ତ୍ତି ରହିଛି। ଏହା ପାହାଡ଼ ଉପରେ ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚରେ ରହିଛି। ଦନ୍ତଓ୍ବାଡ଼ାଠାରୁ ପ୍ରାୟ ୧୩ କିମି ଦୂରରେ ଥିବା ଏହି ମୂର୍ତ୍ତିଙ୍କୁ ଲୋକେ ସ୍ଥାନୀୟ ଅଞ୍ଚଳର ରକ୍ଷକ ବୋଲି କହିଥାନ୍ତି। ମନ୍ଦିରକୁ ନାଗବଂଶୀ ରାଜା ୧୦ରୁ୧୧ ଶତାବ୍ଦୀରେ ନିର୍ମାଣ କରିଥିବାର ଐତିହାସିକ ମତ ଦିଅନ୍ତି। ଏଭଳି ଦୁର୍ଗମ ଅଞ୍ଚଳରେ ପାହାଡ଼ରେ ଏତେ ଉପରେ କିଭଳି ମୂର୍ତି ସ୍ଥାପନ କରାଗଲା ସେନେଇ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାନ୍ତି। ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୩ରୁ ୪ଫୁଟ ହୋଇଥିବାବେଳେ ଏହା କଳା ମୁଗୁନି ପଥରରେ ନିର୍ମିତ। ଏଠାରେ ଥିବା କୈଳାସ ଗୁମ୍ଫା ଅଞ୍ଚଳରେ ଗଣେଶ ଏବଂ ପର୍ଶୁରାମଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରନ୍ତି। ଯୁଦ୍ଧରେ ଗଣେଶଙ୍କର ଦାନ୍ତ ଭାଙ୍ଗି ଏଠାରେ ପଡ଼ିଥିଲା। ସେବେଠାରୁ ଗଣେଶ ଏକଦନ୍ତ ଭାବେ ପରିଚିତ ହୋଇଥିଲେ ବୋଲି ଲୋକେ କୁହନ୍ତି।

Share