ପାହାଡ଼ ଉପରକୁ ନେଇ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

 

ସୁନ୍ଦରଗଡ଼, ୮।୨ (ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତା ଏସମ୍ପର୍କରେ କୁତ୍ରା ଥାନାରେ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍‌ନାକୁ ଆସିଛି ା
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ କୋଇଡା ଥାନା କାଲଟା ଅଞ୍ଚଳର ା ସେ ରାଉରକେଲାର ଏକ କଲେଜରେ ଯୁକ୍ତ ୨ ଶ୍ରେଣୀରେ ପାଠ ପଢନ୍ତି। ଅନ୍ୟ ଜଣେ ସହପାଠୀଙ୍କ ସହ ସେ ମିଶି ଏକ ମେସ୍‌ରେ ରହୁଥିଲେ। ସଂପୃକ୍ତା ସହପାଠୀଙ୍କ ଘର ରାଏବଗା ଥାନା ଅଞ୍ଚଳରେ। କୁତ୍ରା ଥାନା ଖତକୁରବାହାଲରେ ହେଉଥିବା ଉର୍ସ ଉତ୍ସବ ଦେଖିଯିବା ପାଇଁ ସମ୍ପୃକ୍ତ ଛାତ୍ରୀଙ୍କୁ ତାଙ୍କ ସହପାଠୀ କହିଥିଲେ। ଉଭୟ ରାଉରକେଲାରୁ ଟ୍ରେନ ଯୋଗେ ଆସି ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇ ଥିଲେ। ପରେ ସହପାଠୀଙ୍କ ଜଣେ ଯୁବବନ୍ଧୁ ଓ ଅନ୍ୟ ଜଣେ ଯୁବକ ରାଜଗାଙ୍ଗପୁର ରେଳ ଷ୍ଟେଶନଠାରୁ ଉଭୟ ଛାତ୍ରୀଙ୍କୁ ୨ଟି ବାଇକ୍‌ରେ ବସାଇ ଖତକୁରବାହାଲ ଅଭିମୁଖେ ନେଇଥିଲେ। ହେଲେ ଖତକୁରବାହାଲ ପୂର୍ବରୁ ସହପାଠୀ ଜଣକ ତାଙ୍କ ଯୁବବନ୍ଧୁଙ୍କ ସହିତ ଚାଲିଯାଇଥିଲେ। ଏହାପରେ ଅଜଣା ଯୁବକଙ୍କ ବାଇକ୍‌ରେ ବସିଥିବା ଛାତ୍ରୀ ଜଣକ ଅସହାୟ ହୋଇପଡିଥିଲେ ା ଏହାର ସୁଯୋଗ ନେଇ ସଂପୃକ୍ତ ଯୁବକ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କୁ ଡାକି ଛାତ୍ରୀଙ୍କୁ ପାହାଡ ଉପରକୁ ନେଇଯାଇଥିଲେ। ଏହାପରେ ସଂପୃକ୍ତ ୨ଯୁବକ ତାଙ୍କୁ ବଳାତ୍କାର କରିଥିଲେ। ଏପରି କି ବଳାତ୍କାର ସମୟର ଦୃଶ୍ୟକୁ ସେମାନେ ନିଜ ମୋବାଇଲରେ ଭିଡିଓ କରିଥିଲେ ା ଏ କଥା ବାହାରେ ପ୍ରଘଟ କଲେ ସେହି ଦୃଶ୍ୟକୁ ଭାଇରାଲ କରିଦେବୁ ବୋଲି ଧମକ ଦେଇଥିଲେ ା ଏହାପରେ ସଂପୃକ୍ତ ୨ ଯୁବକ ଛାତ୍ରୀଙ୍କୁ ନେଇ ଖତକୁରବାହାଲ ଉର୍ସ ବଜାରରେ ଛାଡି ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରୀ ଜଣକ ନିଜ ସମ୍ପର୍କୀୟମାନଙ୍କ ନିକଟକୁ ଖବର ଦେଇଥିଲେ। ଖବରପାଇ ଶୁକ୍ରବାର ସକାଳେ ତାଙ୍କ ସମ୍ପର୍କୀୟମାନେ କୁତ୍ରାରେ ପହଞ୍ଚି ଛାତ୍ରୀଙ୍କୁ ଧରି ରାଉରକେଲା ଯାଇଥିଲେ। ପରେ ସେମାନେ ଛାତ୍ରୀଙ୍କ ସହପାଠୀଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପ୍ରଥମେ ଝିରପାଣି ଥାନାକୁ ଯାଇ ପୋଲିସକୁ ଜଣାଇଥିଲେ। ମାତ୍ର ଘଟଣାଟି କୁତ୍ରା ଥାନା ଅଞ୍ଚଳରେ ଘଟିଥିବାରୁ ସେମାନଙ୍କୁ କୁତ୍ରା ଥାନାକୁ ପଠାଯାଇଥିଲା। ଉଭୟ ଛାତ୍ରୀ ସମ୍ପର୍କୀୟମାନଙ୍କ ସହିତ ଆସି କୁତ୍ରା ଥାନାରେ ଅଭିଯୋଗ କରିଥିଲେ ା ଅନ୍ୟପକ୍ଷେ ଅଭିଯୋଗ ପରେ ବି ଏ ସଂକ୍ରାନ୍ତରେ ପୋଲିସ ମାମଲା ରୁଜୁ କରି ନ ଥିବା ପୀଡିତା କହିଛନ୍ତି ା

Share