ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ ପୂର୍ବରୁ ୨୯ବର୍ଷୀୟ ଭିକ୍ଟର ନାମକ ଯୁବକ ଓ ୨୮ ବର୍ଷୀୟ ତାତିଆନା ନାମକ ଯୁବତୀ ଲାଇବ ଟୁରିଷ୍ଟ ଭିଜାରେ ଭାରତକୁ ଆଧ୍ୟାତ୍ମିକ ଯାତ୍ରାରେ ଆସିଥିଲେ। କିନ୍ତୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସେ ଆଉ ନିଜ ଦେଶକୁ ଫେରିପାରି ନ ଥିଲେ। ପାଖରେ ଟଙ୍କା ନ ଥିବାରୁ ସେମାନେ ଖାଇବା ଓ ରହିବା ପାଇଁ କୌଣସି ବ୍ୟବସ୍ଥା କରିପାରି ନ ଥିଲେ। ତେଣୁ ଭିକ୍ଟର ଓ ତାତିଆନା ପାହାଡ଼ ଉପରେ ରହି ଧ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ପାହାଡ଼ ଉପରେ ନଜର ରଖୁଥିବା ପୋଲିସର ଡ୍ରୋନ୍‌ ହଠାତ୍‌ ଏହି ଦମ୍ପତ୍ତିଙ୍କ ଉପରେ ନଜର ପଡ଼ିଥିଲା। ଏହାପରେ ପୋଲିସ ସେମାନଙ୍କୁ ଉକ୍ତ ପାହାଡ଼ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏଥିସହ ପୂର୍ବରୁ ଯେଉଁଠାରେ ସେମାନେ ରହୁଥିଲେ ସେଠାକାର ମାଲିକଙ୍କ ସହ କଥା ହୋଇ ମାଗଣାରେ ରହିବା ପାଇଁ ପୋଲିସ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଏକ ଏନ୍‌ଜିଓ ସହ ଆଲୋଚାନା କରାଯାଇ ଲକ୍‌ଡାଉନ୍‌ ଶେଷ ହେବା ପର୍ଯ୍ୟନ୍ତ ଭିକ୍ଟର ଓ ତାତିଆନାଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ କୁହାଯାଇଛି ବୋଲି ତିରୁନବନ୍ନାମଲାଇର ଏସ୍‌ପି ସିବି ଚକ୍ରବର୍ତ୍ତୀ କହିଛନ୍ତି। ତେବେ ବିମାନ ସେବା ଜାରି ହେବା ପରେ ତାଙ୍କୁ ନିଜ ଦେଶକୁ ଫେରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Share