Advertisement

ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ ମାଟି ମାଡ଼ିନାହିଁ। ସରକାରୀ ବାବୁ କି ନେତା ଆସନ୍ତିନି। କେବଳ ନିର୍ବାଚନ ବେଳେ ଥରୁଟେ ସେମାନଙ୍କ ଦେଖା ମିଳେ। ତା’ ସହ ଅନେକ ପ୍ରତିଶ୍ରୁତି। ସେମାନେ ନଦୀ ପାର ହୋଇ ସଲପଗୁଡ଼ାରୁ ଫେରିବା ବେଳେ ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇ ନଦୀରେ ଭାସିଯାଆନ୍ତି। ପାହାଡ଼ି ରାସ୍ତାରେ ଲିଭିଯାଏ ସେମାନଙ୍କ ପାଦ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡ଼ା ପଞ୍ଚାୟତ ଅଧୀନରେ ଥିବା ସଲପଗୁଡ଼ା ଗାଁର ଚିତ୍ର।
ଢିଣ୍ଡାରଜା, ବୁର୍ଷା ପାବଲି ପାହାଡ଼, ଗୋଦବନୀ କୁପୁଲି, ଗାଣ୍ଡା ଡଙ୍ଗର ଚାରିପାଖେ ଥାଇ ମଝିରେ ରହିଛି ଏହି ଅବହେଳିତ ଗାଁ। ଏଠାରେ ମାଳି ସଂପ୍ରଦାୟର ପ୍ରାୟ ୨୭ ପରିବାର ବସବାସ କରନ୍ତି। ନନ୍ଦିଗାଁ ପଞ୍ଚାୟତ ପାଦଦେଶରେ ରହିଥିବା ଏହି ଗାଁ ପାଇକ ଫୁଲବେଡ଼ା ପଞ୍ଚାୟତରୁ ମାତ୍ର ୩ କିମି ଦୂରରେ ରହିଛି। ଗାଁର ଦୁଇ ପାର୍ଶ୍ୱରେ ନଦୀ ରହିଛି। ଫୁଲବେଡ଼ା ଛକ ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ଗାଇଗାଡ଼ ନଦୀ ଓ ବୁଡ଼ିଝୋଲା ପାର ହେବାକୁ ପଡ଼େ। ନନ୍ଦିଗାଁ ହାଟପଦା ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ବିରାଟ ଚାବେରୀ ନଦୀ ପାର ହେବାକୁ ହୁଏ। ସଲପଗୁଡ଼ା ଗ୍ରାମବାସୀ ଚତୁର୍ଦ୍ଦିଗରେ ପାହାଡ଼, ପର୍ବତ ଓ ୩ଟି ନଦୀର ଘେର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଦୋଳା କିମ୍ବା ଖଟିଆରେ ୩/୪ କିମି ଦୂର ନନ୍ଦିଗାଁ ଛକ କିମ୍ବା ଫୁଲବେଡ଼ା ଛକକୁ ବୋହିନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇହୁଏ। ଅନେକ ସମୟରେ ବାଟରେ ଗର୍ଭବତୀଙ୍କ ମୃତ୍ୟୁ ନଜିର ରହିଥିବା ଗ୍ରାମର ଚିତ୍ରସେନ ମାଳି, ଚନ୍ଦ୍ର ମାଳି, ବଳରାମ ମାଳି, ଘନ ମାଳି କହିଛନ୍ତି। ଚାବେରୀ ନଦୀ ପାର ହେବା ବେଳେ ଫି’ ବର୍ଷ ବର୍ଷା ଦିନରେ ୬ରୁ ୭ ଜଣ ସ୍ରୋତରେ ଭାସିଯାଇଛନ୍ତି। ଯୋଗାଯୋଗ ଅଭାବରୁ ଏଠାକୁ ବିକାଶର ଛାଇ ପଡ଼ିନାହିଁ। ଏହି ଗାଁକୁ ସଂଯୋଗ କରୁଥିବା ପାଇକ ଫୁଲବେଡ଼ା ଛକରୁ ସଲପଗୁଡ଼ା ଏବଂ ନନ୍ଦିଗାଁ ହାଟପଦା ଛକରୁ ସଲପଗୁଡ଼ା ବାଟରେ ପ୍ରବାହିତ ନଦୀରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍‌ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share