ହାଟଡିହୀ, ୨।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡଚଣ୍ଡୀଙ୍କ ମନ୍ଦିର। ସାକ୍ଷାତ ଦେବୀ ରୂପେ ମା’ ଗଡଚଣ୍ଡୀ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡିଶା ଟୁରିଜମ୍ ବିଭାଗ ତରଫରୁ ଗଡଚଣ୍ଡୀ ପୀଠକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦିଆଯାଇଥିଲା ା ୧୯୮୫ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। କିମ୍ବଦନ୍ତୀ ଅନୁଯାୟୀ ମା’ ପାହାଡର ଊର୍ଦ୍ଧ୍ୱଭାଗରେ ପ୍ରାୟ ୨ କି.ମି. ଉଚ୍ଚରେ ଆବହମାନ କାଳରୁ ପୂଜା ପାଇ ଆସୁଥିଲେ ା ଏକଦା ଦେହୁରୀ ମା’ ଙ୍କ ପୂଜା ସାରି ଫେରିବା ପରେ ତାର ଅସ୍ତ୍ର (କତା) ଛାଡି ଆସିଥିଲା ା ଦେହୁରୀ କତା ଆଣିବାକୁ ଯାଇ ଦେଖିଲା ମା’ ରୁଧିର ପାନ କରୁଛନ୍ତି। ମା’ ରାଗିଯାଇ କତାକୁ ଫିଙ୍ଗିଦେଇ କହିଲେ ଯେଉଁଠି କତାଟି ପଡିବ ସେଠାରେ ମୋତେ ପୂଜାକରିବୁ। ସେହି ଦିନ ଠାରୁ ମା’ ଗଡଚଣ୍ଡୀ ପାହାଡ ପାଦ ଦେଶରେ ପୂଜା ପାଉଛନ୍ତି। ବିଶେଷ କରି ଶାରଦୀୟ ଦୁର୍ଗା ପୂଜୋତ୍ସବ ରାଜାଙ୍କ ସମୟରେ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଥିଲା। ଏଣୁ ପୂଜାରେ ମା’ଙ୍କ ନିକଟରେ ପଣ୍ଡା ବଳି ଦିଆଯାଉଥିଲା ା ପାଇକମାନଙ୍କ ମଧ୍ୟରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତାଙ୍କୁ ସରିପା ପ୍ରଦାନ କରି ପୁରସ୍କୃତ କରାଯାଉଥିଲା। ଲାଖବିନ୍ଧା ପର୍ବ ଯୋଗୁ ନିକଟବର୍ତ୍ତୀ ଗ୍ରାମର ନାମ ଲାଖବିନ୍ଧା ଭାବେ ନାମକରଣ ହୋଇଛି ା ଏବେ ବି ପୂର୍ବ ପରି ମା’ଙ୍କ ପୂଜା, ପାର୍ବଣ, ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି। ମା’ ଗଡଚଣ୍ଡୀ ଏ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଅଟନ୍ତି। ମାନସିକ କଲେ ସକଳ ଅଭିଷ୍ଠ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନ୍ୟପଟେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିରାଣୀର ମଜା ଉଠାଇଥାନ୍ତି। ମା’ଙ୍କ ମନ୍ଦିର ସମ୍ମୁଖରେ ପାହାଡ ଦେହରୁ ଏକ ଝରଣା ବାହାରିଛି ା ସବୁଜ ବନାନୀ ପାହାଡ ଘେରରେ ଥିବା ମା’ଙ୍କ ମନ୍ଦିର ସମସ୍ତଙ୍କୁ ଆକୃଷ୍ଟ କରିଥାଏ ା ବିଶେଷ କରି ମାଙ୍କଡଙ୍କ ଖେଳ ଆହୁରି ଦର୍ଶକଙ୍କ ମନକୁ ଆନନ୍ଦ ଦେଇଥାଏ। ଏଠାରେ ମଧ୍ୟ ଏକ ଗୁପ୍ତଗୁମ୍ଫା ରହିଛି। ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ପାହାଡ ଚଢିବାର ମଜା ମଧ୍ୟ ଉଠାଇଥାନ୍ତି।
ପୂର୍ବରୁ ଏଠାରେ ଶୈଳପୁର ନାମରେ ଏକ ଜୈନ ତୀର୍ଥସ୍ଥାନ ମଧ୍ୟ ଥିଲା। ଶୈଳ ଦ୍ୱାରା ଆବଦ୍ଧ ହୋଇଥିବାରୁ ଏହାକୁ ଶୈଳପୁର କୁହାଯାଉଥିଲା। ଅତୀତ କିମ୍ବଦନ୍ତୀ ଅନୁସାରେ ଜୈନ ଓ ବୌଦ୍ଧ ଧର୍ମର ଦୀକ୍ଷିତ ମହାରାଜାମାନେ ରାଜତ୍ୱ କରୁଥିଲେ। କାଳକ୍ରମେ ରାଜପୁତନାର ସିଂ ବଂଶର ରାଜାମାନେ ରାଜତ୍ୱ କଲେ। ସେଥିପାଇଁ ଏହାକୁ ସିଙ୍ଗିଡି ରାଜଗଡ କୁହାଗଲା ା ପୂର୍ବ ପାର୍ଶ୍ୱରେ ଏକ ପ୍ରାଚୀର ଓ ଗଡଖାଇ ଥିଲା। ତା’ର ଧ୍ୱଂସାବଶେଷ ଏବେ ବି ଦେଖିବାକୁ ମିଳେ। ସେହିପରି ଦକ୍ଷିଣ ଭାଗରେ ଦୁଇ ପାହାଡର ସଂକୀର୍ଣ୍ଣ ଗିରିପଥକୁ କଳିଙ୍ଗ ଦ୍ୱାର କୁହାଯାଉଥିଲା। ବର୍ତ୍ତମାନ ଏହାକୁ କଳିଙ୍ଗଘାଇ କୁହାଯାଉଛି। ସିଙ୍ଗିଡି ଗଡ ରାଜାଙ୍କୁ କେନ୍ଦୁଝର ଭଞ୍ଜବଂଶୀୟ ରାଜା ପ୍ରଥମେ ଆକ୍ରମଣ କରି ଦ୍ୱିତୀୟ ଥର ଗୁପ୍ତଚର ହତ୍ୟା କଲେ। ସିଂ ବଂଶର ରାଜାଙ୍କ ନିଧନ ପରେ ତାଙ୍କର ବଂଶଧର ଭଦ୍ରକ ଜିଲା ଆଗରପଡାକୁ ପଳାଇଲେ। ପରେ ଭଞ୍ଜ ବଂଶୀୟ ରାଜା ମା’ ଗଡଚଣ୍ଡୀଙ୍କ ପୂଜା ବିଧିର ଦାୟିତ୍ୱ ବହନ କଲେ। ବ୍ରାହ୍ମଣ , ଦେହୁରୀ , ମାଳି ନିଯୁକ୍ତ କରି ସେମାନଙ୍କ ପାଇଁ ଜାଗିରୀ ବ୍ୟବସ୍ଥା କରିଥିଲେ। ଦିନକୁ ଦିନ ମନ୍ଦିର ଓ କୀର୍ତ୍ତିରାଜି ଅସୁରକ୍ଷିତ ହୋଇପଡୁଥିବା ବେଳେ ଏହାର ସୁରକ୍ଷା ଦିଗରେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।