ଡ. ଛାୟାକାନ୍ତ ଷଡ଼ଙ୍ଗୀ
ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ ଅର୍ଜନ କରି ପାରଲୌକିକ ସୁଖ ଲାଭ କରିବା ପାଇଁ ମନ୍ଦିର, ମସ୍ଜିଦ, ଗୀର୍ଜାକୁ ଯାଇଥାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ତଥାକଥିତ ଧର୍ମାନୁଷ୍ଠାନକୁ ଯାଆନ୍ତି ନାହିଁ। ମାତ୍ର ସମାଜର ଅନ୍ୟମାନଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ସେଇଥିରେ ଥାଏ ସେମାନଙ୍କ ସନ୍ତୋଷ ଓ ଆନନ୍ଦ। ମନ୍ଦିର ଯାଇ ଦେବଦେବୀଙ୍କୁ ପୂଜା କଲେ ପୁଣ୍ୟ ଅର୍ଜନ କରିହୁଏ କି ନା ଆମେ ଜାଣୁନା। ମାତ୍ର ଯିଏ ନିଜ ସୁଖସ୍ବାଚ୍ଛନ୍ଦ୍ୟକୁ ବିସର୍ଜନକରି ଅନ୍ୟର ସୁଖସୁବିଧା ପାଇଁ ନିଜର ଜୀବନ ସମର୍ପଣ କରେ ସେ ଯେ ନିଶ୍ଚିତ ପୁଣ୍ୟ ଅର୍ଜନ କରେ ଏଥିରେ ଦ୍ୱିମତ ହେବାର ନାହିଁ। ଏହିଭଳି ଜଣେ ମଣିଷଙ୍କ କଥା। କେନ୍ଦୁଝର ଜିଲାର ଦୈତାରି ନାୟକ ଗୁପ୍ତଗଙ୍ଗାରୁ ବାହାରିଥିବା କତରକଟା ନଦୀର ପାଣିକୁ ନିଜର କଠିନ ପରିଶ୍ରମ ବଳରେ ଦୀର୍ଘ ୪/୫ କିଲୋମିଟର ପର୍ଯ୍ୟନ୍ତ ପାହାଡ଼ କାଟି ଚାଷଜମିରେ ପହଞ୍ଚାଇ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ଏଥିପାଇଁ ୨୦୦୯ ମାର୍ଚ୍ଚ ୧୬ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ମାତ୍ର ଏହି ଘଟଣାର ବହୁ ପୂର୍ବରୁ ବିହାରର ଗୟା ନିକଟସ୍ଥ ଗେହଲର ଗାଁର ଶ୍ରମଜୀବୀ ଦଥରଥ ମାଝି (୧୯୨୯-୨୦୦୭) ନିହାଣ ଓ ହାତୁଡି ଧରି ଏକକ ପ୍ରଚେଷ୍ଟାରେ ୧୧୦ ମି. ଲମ୍ବ, ୭.୬ ମି. ଗଭୀର ଓ ୯.୧ ମି. ଓସାରର ଏକ ରାସ୍ତା ନିର୍ମାଣ କରିଥିଲେ। ଏହାଦ୍ୱାରା ଗେହଲର ଓ ଗୟା ମଧ୍ୟରେ ଦୂରତା ୫୫ କି.ମି.ରୁ କମିଯାଇ ୧୫ କି.ମି.ରେ ସୀମିତ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ସମୟ ଲାଗିଥିଲା ଦୀର୍ଘ ୨୨ ବର୍ଷ (୧୯୬୦-୧୯୮୨)। ବିହାର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ମାତ୍ର ସେତେବେଳେ ତାହା ସମ୍ଭବ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।
ଦଶରଥ ଜନ୍ମ ନେଇଥିଲେ ବିହାରର ଗେହଲର ଗାଁର ଏକ ଦଳିତ ମୂଷାହର ପରିବାରରେ। ପିଲାଦିନେ ରୋଜଗାର ଅନ୍ବେଷଣରେ ସେ ଗାଁ ଛାଡି ଚାଲିଯାଇ ଧାନବାଦର ଏକ କୋଇଲା ଖଣିରେ ସାତବର୍ଷ ଧରି କାମ କରିଥିଲେ। ପରେ ସେ ଗାଁକୁ ଫେରି ବିବାହ କରିବାକୁ ଚାହିଁଲେ ପିଲାଦିନୁ ଜାଣିଥିବା ଫାଲ୍ଗୁନୀ ନାମ୍ନୀ ଜଣେ ମହିଳାଙ୍କୁ। ମାତ୍ର ସେତେବେଳେ ଦଶରଥ କୌଣସି ଚାକିରି କରୁ ନ ଥିବାରୁ ଫାଲ୍ଗୁନୀଙ୍କ ପିତା ଏହି ବିବାହ ପ୍ରସ୍ତାବରେ ରାଜିହୋଇ ନ ଥିଲେ।
ଶେଷରେ ଦଶରଥ ଓ ଫାଲ୍ଗୁନୀ ପଳାୟନ କଲେ ଓ ସ୍ବାମୀସ୍ତ୍ରୀ ଭାବରେ ରହିଲେ। ଫାଲ୍ଗୁନୀ ପ୍ରଥମେ ଜନ୍ମ ଦେଇଥିଲେ ଏକ ପୁତ୍ରସନ୍ତାନ। ୧୯୬୦ରେ ସେ ପୁଣି ଗର୍ଭବତୀ ହେଲେ। ବିହାରର ଗେହଲର ଗାଁ ହେଉଛି ଏକ ଅନୁନ୍ନତ ଅଞ୍ଚଳ। ସେତେବେଳେ ସେଠି ଉଗ୍ର ଜାତିଆଣ ଭାବ ଥାଏ। ଦଳିତ ଅନୁସୂଚିତ ଜାତିର ଲୋକମାନେ ଗାଁ ମୁଖିଆଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥାନ୍ତି। ଗୟାର ବଜିରଗଞ୍ଜ ସହର ଓ ଗେହଲର ଗାଁ ମଝିରେ ଛିଡା ହୋଇଛି ଏକ ପାହାଡ଼। ଗାଁରୁ ସହରକୁ ଯିବା ପାଇଁ ଜନସାଧାରଣଙ୍କୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଥାଏ। ଦିନକର ଘଟଣା। ଦଶରଥ ପାହାଡ଼ ସେପାରି ଜମିରେ କାମ କରୁଥାନ୍ତି। ଫାଲ୍ଗୁନୀ ମଧ୍ୟାହ୍ନ ଭୋଜନ ଧରି ପାହାଡିଆ ରାସ୍ତାରେ ଦଶରଥଙ୍କ ପାଖକୁ ଯାଉଥାନ୍ତି। ଅକସ୍ମାତ୍ ଅନ୍ତଃସତ୍ତ୍ୱା ଫାଲ୍ଗୁନୀଙ୍କ ଗୋଡ ପାହାଡରେ ଖସିଗଲା। ସେ ପଡିଯାଇ ରକ୍ତାକ୍ତ ହେଲେ। ହସ୍ପିଟାଲ ଥିଲା ପାହାଡର ଅନ୍ୟ ପାର୍ଶ୍ୱରେ ଗୟା ନିକଟରେ। ପାହାଡକୁ ଅତିକ୍ରମ କରିବା ପାଇଁ ଦୀର୍ଘ ପଥରେ ଯାଇ ହସ୍ପିଟାଲ ପହଞ୍ଚିଲା ବେଳକୁ ଫାଲ୍ଗୁନୀଙ୍କ ମୃତ୍ୟୁ ହୋଇଯାଇଥାଏ। ପ୍ରାଣ ଦେଇ ଭଲ ପାଉଥିବା ଫାଲ୍ଗୁନୀଙ୍କ ମୃତ୍ୟୁରେ ଦଶରଥ ଦାରୁଣ ଆଘାତ ପାଇଲେ।
ପତ୍ନୀଙ୍କ ମୃତ୍ୟୁ ଦଶରଥଙ୍କୁ ଭାବପ୍ରବଣ କରିଦେଲା। ସେ ଚିନ୍ତାକଲେ ପାହାଡ଼ଟି ପ୍ରତିବନ୍ଧକ ହୋଇ ନ ଥିଲେ ସେ ତାଙ୍କ ପତ୍ନୀଙ୍କୁ କମ୍ ସମୟରେ ହସ୍ପିଟାଲରେ ପହଞ୍ଚାଇ ପାରିଥାନ୍ତେ ଓ ହୁଏତ ତାଙ୍କର ଜୀବନ ରକ୍ଷା ହୋଇପାରିଥାନ୍ତା। ସେ ପାହାଡ଼କୁ ଅଭିଶାପ ଦେଲେ। ସେ ପ୍ରତିଜ୍ଞା କଲେ ପାହାଡ଼କୁ କାଟି ରାସ୍ତା ନିର୍ମାଣ କରିବେ ଓ ଗୟା ସହରକୁ ଦୂରତା କମାଇବେ। ଧରିଲେ ନିହାଣ ଓ ହାତୁଡି। ପାହାଡ଼ କାଟିବା ଆରମ୍ଭ କଲେ। ଗ୍ରାମବାସୀ ତାଙ୍କୁ ଉପହାସ କଲେ। କେହି କେହି ତାଙ୍କୁ ପାଗଳ ବୋଲି କହିଲେ। ମାତ୍ର ଦଶରଥ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ। ଏକକ ଉଦ୍ୟମରେ ପାହାଡ଼ କାଟିବା କାମ ଚାଲୁ ରଖିଲେ ଦଶରଥ। ଅନେକ ବର୍ଷ ଅତିକ୍ରାନ୍ତ ହେଲା। ଗେହଲରରେ ପଡିଲା ମରୁଡି। ଲୋକେ ଜୀବିକା ନିର୍ବାହ ପାଇଁ ଗାଁ ଛାଡି ସହର ଅଭିମୁଖେ ଯାତ୍ରା କଲେ। ମାତ୍ର ଦଶରଥ ଗାଁରେ ରହିଲେ। ଭୋକଉପାସରେ ରହି ବି ସେ ପାହାଡ଼ କାଟି ରାସ୍ତା କରିବା କାମରୁ କ୍ଷାନ୍ତ ହେଲେ ନାହିଁ। ୧୯୭୫ ମସିହାରେ ଜରୁରିକାଳୀନ ପରିସ୍ଥିତି ଜାରି ହେଲା। ସେତେବେଳେ ଏକ ଜନସମାବେଶରେ ଭାଷଣ ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିହାର ଆସିଥାନ୍ତି। ସେଠିକି ଯାଇଥାନ୍ତି ଦଶରଥ ମାଝି। ଇନ୍ଦିରା ଗାନ୍ଧୀ ମଞ୍ଚରେ ଭାଷଣ ଦେଉଥିବା ବେଳେ ହଠାତ୍ ମଞ୍ଚଟି ଭୁଶୁଡିବାକୁ ଲାଗିଲା। ସେତେବେଳେ ଦଶରଥ ଓ ଆଉ କିଛି ଲୋକ ମଞ୍ଚକୁ ଟେକି ଧରିବାରୁ ଇନ୍ଦିରା ଗାନ୍ଧୀ ଭାଷଣ ଚାଲୁ ରଖିପାରିଥିଲେ। ଏହି ଘଟଣାରେ ଦଶରଥ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ଉତ୍ତୋଳିତ ହୋଇଥିଲା। ତାଙ୍କ ପରିକଳ୍ପିତ ସେହି ପାହାଡିଆ ରାସ୍ତା ପାଇଁ ସରକାରଙ୍କଠାରୁ ଅର୍ଥ ମଞ୍ଜୁର କରିବାକୁ ଦରଖାସ୍ତ କରିବା ପାଇଁ ଗାଁର ମୁଖିଆ ଦଶରଥଙ୍କଠାରୁ ଏକ ଟିପ ଚିହ୍ନ ନେଇଥିଲେ। ମାତ୍ର ସେମିତି କିଛି ସାହାଯ୍ୟ ମିଳି ନ ଥିଲା। ଦଶରଥ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବା ପାଇଁ ନିଷ୍ପତ୍ତି ନେଲେ। ଚାଲି ଚାଲି ଦିଲ୍ଲୀ ଗଲେ। ସାଙ୍ଗରେ ନେଇଥାନ୍ତି ଇନ୍ଦିରା ଗାନ୍ଧୀଙ୍କ ସହ ଉଠିଥିବା ଫଟୋ। ମାତ୍ର ପୋଲିସ ତାଙ୍କୁ ଘଉଡାଇ ଦେଲେ ଓ ଫଟୋଟିକୁ ଚିରିଦେଲେ। ହତାଶ ହୋଇ ଫେରିଆସିଲେ ଦଶରଥ।
ଅପମାନିତ ଓ ଉପହସିତ ହେବା ସତ୍ତ୍ୱେ ଦଶରଥ ଜୀବନରେ ହାରି ନ ଥିଲେ। ଚାଲୁ ରଖିଲେ ପାହାଡ଼ କାଟିବା କାର୍ଯ୍ୟ। ଦୀର୍ଘ ୨୨ ବର୍ଷର କଠିନ ପରିଶ୍ରମ ପରେ ୧୯୮୨ ମସିହାରେ ପାହାଡ଼ରେ ରାସ୍ତା ନିର୍ମାଣ ସରିଲା। ଗାଁ ଓ ସହର ମଧ୍ୟରେ ଦୂରତା କମିଲା। ଅନେକ ଗ୍ରାମବାସୀ ଏହାଦ୍ୱାରା ଉପକୃତ ହେଲେ। ତା’ ପରେ ତାଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡିଲା। ବିହାର ସରକାର ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କଲେ। କୌଣସି କାରଣରୁ ସେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହେଲେନାହିଁ। ସେ ବିହାରରେ ବଞ୍ଚି ରହିଲେ ପାହାଡ଼ ମଣିଷ ଭାବରେ। ପରବର୍ତ୍ତୀ ସମୟରେ ସେ ପିତ୍ତକୋଷ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଏମ୍ସ ନୂଆଦିଲ୍ଲୀରେ ଚିକିତ୍ସିତ ଥିବା ଅବସ୍ଥାରେ ମୃତ୍ୟୁବରଣ କଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତ୍ୟେଷ୍ଟିକ୍ରିୟା ଘୋଷଣା କଲେ। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୮ ବର୍ଷ। ସେ ଦିନଟି ଥିଲା ୨୦୦୭ ଅଗଷ୍ଟ ୧୭ ତାରିଖ। ଦଶରଥଙ୍କ ସ୍ବପ୍ନ ଥିଲା ତାଙ୍କ ତିଆରି ରାସ୍ତାଟି ପକ୍କା ହେଉ। ତାହା ସମ୍ଭବ ହୋଇଥିଲା ତାଙ୍କ ମୃତ୍ୟୁ ପରେ। ସରକାର ସେହି ପାହାଡ଼ ରାସ୍ତାର ପ୍ରବେଶ ଦ୍ୱାରକୁ ଦଶରଥ ମାଝିଙ୍କ ନାମରେ ନାମିତ କରିବା ସଙ୍ଗେ ସଙ୍ଗେ ତାଙ୍କ ଗାଁରେ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହେଲା। ତାଙ୍କ ସମ୍ମାନରେ ଏକ ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇଲା। ସରକାର ତାଙ୍କୁ ପାଞ୍ଚ ଏକର ଜମି ଦାନ କଲେ। ମାତ୍ର ଦଶରଥ ସେହି ଜମିକୁ ଏକ ହସ୍ପିଟାଲ କରିବା ପାଇଁ ଦାନ କରିଦେଲେ। ୨୦୧୪ ମସିହାରେ ଆମୀର ଖାନ୍ଙ୍କ ଦ୍ୱାରା ପ୍ରଯୋଜିତ ପ୍ରଥମ ‘ସତ୍ୟମେବ ଜୟତେ’ କାର୍ଯ୍ୟକ୍ରମ ତାଙ୍କୁ ସମର୍ପିତ ହୋଇଥିଲା। ୨୦୧୫ ମସିହାରେ ଦଶରଥ ମାଝିଙ୍କ ଜୀବନକୁ ନେଇ କେତନ ମେହେଟ୍ଟା ‘ମାଝି, ଦି ମାଉଣ୍ଟେନ ମ୍ୟାନ’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଆଜି କେବଳ ବିହାର ନୁହେଁ, ସମଗ୍ର ଭାରତରେ ଦଶରଥ ମାଝି ଏକ ପ୍ରେରଣାର ଉତ୍ସ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩