ପିଆଜ ପରେ ଆଳୁ ଚଡ଼କ: ଦର ଛୁଇଁଲା ୩୦

ଭୁବନେଶ୍ୱର,୬ା୧(ବ୍ୟୁରୋ): ପିଆଜ ପରେ ଏବେ ଆଳୁ ଦର ବଢ଼ିଛି। ୧୮ରୁ ୨୦ ଟଙ୍କା ଦରରେ ମିଳୁଥିବା ଆଳୁ ଏବେ ୩୦ଟଙ୍କା ଛୁଇଁଛି। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ସହ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହ୍ରାସ ପାଇବାରୁ ଦର ହଠାତ୍‌ ବୃଦ୍ଧି ପାଇଥିବା ଜଣାପଡ଼ିଛି। କଟକ ଛତ୍ର ବଜାର ସମେତ ଭୁବନେଶ୍ୱରରେ ଆଳୁ ବଜାର ନିଅଣ୍ଟିଆ ସ୍ଥିତିରେ ରହିଥିବାବେଳେ ଚଢା ଦର ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି। ଦୂରଦୂରାନ୍ତରେ ରହିଥିବା ବଜାରରେ ଏହାଠାରୁ ଦର ଉଚ୍ଚା ରହିଥିବା ଜଣାପଡିଛି। ପଶ୍ଚିମରେ ରାଉରକେଲାରୁ ଦକ୍ଷିଣରେ ବ୍ରହ୍ମପୁର ଯାଏ ସବୁଠି ଆଳୁର ଦର ଉପର ମୁହାଁ ହୋଇଥିବା ଜଣାପଡ଼ିଛି। କେତେଜଣ ବ୍ୟବସାୟୀଙ୍କ ମତରେ ନିକଟରେ ବର୍ଷା ଯୋଗୁ ନୂଆ ଆଳୁ ଖୋଳାରେ ବିଳମ୍ବ ହୋଇଛି। ତେଣୁ ବଜାରକୁ ଯଥେଷ୍ଟ ପରିମାଣର ଆଳୁ ପହଞ୍ଚତ୍ ପାରିନି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ଦର ଉଚ୍ଚା ରହିଛି। ଏହାର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଆସନ୍ତା ୧୫ ଦିନ ଭିତରେ ରାଜ୍ୟର ନୂଆ ଆଳୁ ବଜାରକୁ ଆସିଯିବ ବୋଲି ବ୍ୟବସାୟୀମାନେ ଆଶା ରଖିଥିବାବେଳେ ଏହାପରେ ହିଁ ଦର ସ୍ବାଭାବିକ ହେବ ବୋଲି ସେମାନେ ଅନୁମାନ କରୁଛନ୍ତି। ପିଆଜ ଦର ଏଯାବତ୍‌ ସ୍ବାଭାବିକ ହୋଇ ନ ଥିବାବେଳେ ଆଳୁର ଦର ବୃଦ୍ଧି ସାଧାରଣ ଖାଉଟି ଓ ଗରିବଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।

Share