Categories: ବାଣିଜ୍ୟ

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି ଏହା ୫ ଟନ୍‌ରୁ ୨ ଟନ୍‌କୁ ହ୍ରାସ ଘଟିଛି। ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ମହଜୁଦକାରୀଙ୍କ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଚଳିତ ମାସ ପ୍ରାରମ୍ଭିକ ସପ୍ତାହରେ ସରକାର ଖୁଚୁରା ବ୍ୟବସାୟୀଙ୍କ ଲାଗି ମହଜୁଦ ସୀମାକୁ ୧୦ ଟନ୍‌ରୁ ହ୍ରାସ କରି ୫ ଟନ୍‌ କରିଥିଲେ। ସେହିଭଳି ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହା ୫୦ ଟନ୍‌ରୁ କମି ୨୫ ଟନ୍‌ ରହିଥିଲା। ଚାହିଦା ପୂରଣ ଲାଗି କେନ୍ଦ୍ର ସରକାର ବିଦେଶରୁ ୩୬,୦୯୦ ଟନ୍‌ ପିଆଜ ଆମଦାନୀ କରିବାକୁ ଯୋଜନା ରଖିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବରରେ ପିଆଜ ରପ୍ତାନି ଉପରେ ମଧ୍ୟ କଟକଣା ଲାଗିଛି। ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହେବାରୁ ଏହାର ପ୍ରଭାବ ବଜାରରେ ଦେଖାଯାଇଛି। ଦେଶର କିଛି ପ୍ରାନ୍ତରେ ପିଆଜ କିଲୋ ପ୍ରତି ଦର ୨୦୦ ଟଙ୍କାକୁ ବୃଦ୍ଧି ଘଟିଥିବା ଜଣାପଡିଛି।

Share