ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ନ ସରୁଣୁ ରାଜନୈତିକ ବୟାନବାଜି ଠିକ୍‌ ନୁହେଁ କହିଲେ ସସ୍ମିତ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ମାମଲା ଏକ ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଘଟଣା। ପୋଲିସ ଏହାର ତଦନ୍ତ ଜାରି ରଖୁଛି। ବର୍ତ୍ତମାନସୁଦ୍ଧା ମାମଲାର ତଦନ୍ତ ସରିନାହିଁ କିମ୍ବା ନିର୍ଯାସ ବାହାରିନାହିଁ। ଏଣୁ ତଦନ୍ତ ନ ସରିବା ପୂର୍ବରୁ ଏହି ମାମଲାକୁ ନେଇ ଭାଜପା ଓ କଂଗ୍ରେସ କେବଳ ରାଜନୀତି କରୁଛନ୍ତି। ଏଭଳି ମନ୍ତବ୍ୟ ଏବଂ ବୟାନବାଜି ଠିକ୍‌ ନୁହେଁ ବୋଲି ବିଜେଡି ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି।

ପ୍ରକାଶଯୋଗ୍ୟ, ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଥମେ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହା ପଛରେ ଶାସକ ଦଳର ନେତା ଏବଂ ମାଫିଆଙ୍କ ହାତ ରହିଛି। ମୁଖ୍ୟ ଅଭିଯୁକ୍ତ ଅର୍ଥ ଏବଂ ବାହୁବଳ ଲଗାଇ ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ସେହିଭଳି ଖବରଦାତା ସମ୍ମିଳନୀରେ ଭାଜପା କହିଛି, ପାରିପାଶ୍ୱିକ ଅବସ୍ଥା ଦେଖିଲେ ସ୍ମିତାଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିବା ଲାଗୁଛି। ସେଠାରେ ସରପଞ୍ଚଙ୍କ ସ୍ବାମୀଙ୍କ ସହ ଏକାଧିକ ଲୋକ ଥିଲେ। କୌଣସି ସରକାରୀ ଯୋଜନା ଲାଗି ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି। ସ୍ମିତାରାଣୀ ନ ମାନିବାରୁ ହୁଏତ ତାଙ୍କୁ ହତ୍ୟା କରାଯାଇଥାଇପାରେ। ଯଦି ବି ତାହା ହତ୍ୟା ନୁହେଁ, ଆତ୍ମହତ୍ୟା ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କଲା ତାହା ତଦନ୍ତ କରାଯାଉ। କାରଣ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ହତ୍ୟାଠାରୁ ବି ଅତ୍ୟଧିକ ଜଘନ୍ୟ। ଏଣୁ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Share