ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନ ଭଙ୍ଗାଯିବ

ରସୁଲପୁର, ୨୪।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଉକ୍ତ ଅତିଥିଭବନ ଏକ ବିବାଦୀୟ ଜମିରେ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅଭିଯୋଗ ମୁତାବକ ତହସିଲଦାରଙ୍କୁ ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଅତିଥିଭବନର ଜମିଜମା ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ପ୍ରଦାନ କରିଥିବା ରିପୋର୍ଟ ମୁତାବକ ଅତିଥିଭବନ ଏକ ସରକାରୀ ଜମିରେ ରହିଛି। ଏହି ତଥ୍ୟ ପ୍ରଘଟ ହେବା ପରେ ଉକ୍ତ ଭବନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ଏବେ ତଦନ୍ତ ଚାଲିଛି। ପରେ ବିବାଦୀୟ ଜମିରୁ ରୂପେଶଙ୍କ ଅତିଥିଭବନ ଉଠିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ ୧୬ତାରିଖ ବୁଧବାର ଅପରାହ୍ନରେ ପିଇଓ ସ୍ମିତାରାଣୀ ପଞ୍ଚାୟତର ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମରେ ଭତ୍ତା ବଣ୍ଟନ କରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦୦ମିଟର ଦୂରରେ ଥିବା ରୂପେଶଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଏହାର କିଛି ସମୟ ପରେ ଗେଷ୍ଟ ହାଉସର ଉପର ମହଲାରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରିଥିଲା। ପରେ ଆଉ ଏକ ମାମଲା (ନଂ.୪୮୧/୨୦୧୯) ରୁଜୁ କରି ରୂପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share