ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଧର୍ମଶାଳା,୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶଙ୍କୁ ଧର୍ମଶାଳା ଥାନା ପୋଲିସ ଗୁରୁବାରଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶନିବାର ତାଙ୍କୁ ଗିରଫ କରିଛି। ଏଥିସହ ସ୍ମିତାରାଣୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଏଣୁ କୌଣସି କଥାକୁ ନେଇ ମତାନ୍ତର ହୋଇଥାଇପାରେ ବୋଲି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବୁଧବାର ସରପଞ୍ଚ ମଧୁସ୍ମିତା ଭଦ୍ର ଏବଂ ଅନ୍ୟମାନଙ୍କ ସହ ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ। ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଫେରିବା ପରେ ନିକଟରେ ଥିବା ସରପଞ୍ଚଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ସାଙ୍ଗରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଓ ଅନ୍ୟକିଛି ସହଯୋଗୀ ଥିଲେ। ତେବେ ମଧ୍ୟାହ୍ନଭୋଜନ ପୂର୍ବରୁ ସ୍ମିତାରାଣୀ ବାଥ୍‌ରୁମ୍‌କୁ ଯିବାକୁ କହି ଉପର ମହଲାକୁ ଯାଇଥିଲେ। ସେଠାରେ ସେ ଏକ କୋଠରିର ଫ୍ୟାନ୍ରେ ନିଜ ଓଢ଼ଣିରେ ଦଉଡ଼ି ଦେଇଥିଲେ। ଏହା ଜଣାପଡ଼ିବା ପରେ ରୂପେଶ ଓ ଅନ୍ୟମାନେ କବାଟ ଭାଙ୍ଗି ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି କି ଏହି ଘଟଣା ସମ୍ପର୍କରେ ରୂପେଶ ପିଇଓ ସ୍ମିତାରାଣୀଙ୍କ ବାପାଙ୍କୁ ଖବର ଦେଇଥିଲେ। ତେବେ ଅଫିସ କାର୍ଯ୍ୟରେ ଯାଇଥିବା ଜଣେ ଅଧିକାରିଣୀ ଖାଇବାକୁ ଯାଇ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଭାଜପା ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି।

Share