ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଏସ୍‌ପିଙ୍କ ନାମରେ ଥାନାରେ ଏତଲା

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜିଲା ଅଶାନ୍ତ ହେବାରେ ଲାଗିଛି। ଜିଲା ପୋଲିସର ସ୍ବଚ୍ଛ ତଦନ୍ତ ଉପରେ ବିରୋଧୀ ଭାଜପା ଓ କଂଗ୍ରେସ ପ୍ରଶ୍ନ ଉଠାଇଛି। ପୂର୍ବରୁ ଭାଜପା ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଯାଜପୁର ଜିଲା ବନ୍ଦ ସ୍ବତଃପୂର୍ତ୍ତ ଭାବେ ସଫଳ ହୋଇଥିବାବେଳେ କଂଗ୍ରେସ ଏସ୍‌ପି ଅଫିସକୁ ଘେରାଉ କରିଥିଲା। ଏପରି କି ଜିଲା ପିଇଓ ସଂଘ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ତଥାପି ଜିଲା ପୋଲିସ କାହା ଚାପରେ ନୀରବ ରହିଛି ତାହା ସାଧାରଣ ଲୋକଙ୍କୁ ଆଚମ୍ବିତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଧର୍ମଶାଳା ଅଞ୍ଚଳରେ ହୋଇଥିବାରୁ ବ୍ୟବଚ୍ଛେଦ ମଧ୍ୟ ବଡ଼ଚଣା ଚିକିତ୍ସାକେନ୍ଦ୍ରରେ ହେବା କଥା। ହେଲେ କାହାର ପ୍ରରୋଚନାରେ ବଡ଼ଚଣା ପରିବର୍ତ୍ତେ ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ସମ୍ପାଦିତ ହେଲା ସେ ନେଇ ପ୍ରଶ୍ନ ଉଠିଛି। ସେହିପରି ବ୍ୟବଚ୍ଛେଦ ସମୟରେ ଦୁଇଜଣ ଡାକ୍ତର ଅଧାରୁ ଦୀର୍ଘ ସମୟ ଧରି ଗାଏବ ହୋଇ ପୁଣି ଆସି ବ୍ୟବଚ୍ଛେଦ କରିଥିଲେ ବୋଲି ଆଲୋଚନା ହୋଇଛି। ଏପରି କି ସ୍ମିତାଙ୍କ ମୃତ୍ୟୁ ସମୟରେ ଗେଷ୍ଟହାଉସରେ ଉପସ୍ଥିତ ଥିବା ରାମ୍‌କୋର ଜନୈକ ଅଧିକାରୀ ଓ ଅନ୍ୟମାନଙ୍କୁ କାହିଁକି ଜେରା କରାଯାଉ ନାହିଁ ବୋଲି ଦାବି ଉଠିଛି। ଏପରିକି ସ୍ମିତାରାଣୀଙ୍କ ମୃତ୍ୟୁ ପରେ ତାଙ୍କ ଚରିତ୍ରକୁ ପଦାରେ ପକାଇବାରେ ଏସ୍‌ପି ପଛଘୁଞ୍ଚା ଦେଇନାହାନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପୋଲିସ ଘଟଣାକୁ ଅତି ହାଲୁକା ଭାବେ ନେଇ ନିଦାବିଷ୍ଣୁ ସାଜିଛି। ଏହିକ୍ରମରେ ଶନିବାର ଭାଜପା ପକ୍ଷରୁ ଜିଲା ସଭାପତି ଗୌତମ ରାୟଙ୍କ ଆହ୍ବାନରେ ଜିଲାର ସମସ୍ତ ଥାନାରେ ଏସ୍‌ପି ଚରଣସିଂ ମୀନାଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଏତଲା ଦିଆଯାଇଛି ା ବିଭିନ୍ନ ସ୍ଥାନରେ ଭାଜପା କର୍ମୀମାନେ ଶୋଭାଯାତ୍ରାରେ ବାହାରି ଥାନା ଅଧିକାରୀଙ୍କୁ ଏତଲା ପ୍ରଦାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Share