ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଗୁରୁବାର କୋର୍ଟରୁ ସେ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ପୁଣି ତଳ କୋର୍ଟରେ ଜାମିନ ଆବେଦନ ପାଇଁ ଏହା ହାଇକୋର୍ଟରୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ମାମଲାର ଚାର୍ଜଶିଟ ଦାଖଲ ପୂର୍ବରୁ ରୂପେଶ ହାଇକୋର୍ଟ ଆସିଥିଲେ। ଏଣୁ ଚାର୍ଜଶିଟ ହେବା ପରେ ରୂପେଶ ପୁଣି ତଳକୋର୍ଟକୁ ଯିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସ୍ମିତାରାଣୀ ହରିଦାସପୁର ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ଅକ୍ଟୋବର ୧୬ରେ ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ଥାନା ଅଧୀନ ବାଲିଘର ନିକଟରେ ଥିବା ଏକ ଗେଷ୍ଟ ହାଉସ୍‌ରୁ ପୋଲିସ ଜବତ କରିଥିଲା। ଉକ୍ତ ଗେଷ୍ଟ ହାଉସ୍‌ର ମାଲିକ ଥିଲେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ତଥା ଉକ୍ତ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ର। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ରୂପେଶଙ୍କୁ ଅକ୍ଟୋବର ୧୮ ତାରିଖରେ ଗିରଫ କରିଥିଲା। ନିକଟରେ ଉକ୍ତ ଗେଷ୍ଟ ହାଉସ୍‌କୁ ଯାଜପୁର ଜିଲା ପ୍ରଶାସନ ଭାଙ୍ଗି ଦେଇଛି।

Share