Advertisement
Categories: ବାଣିଜ୍ୟ

ପିଏନ୍‌ବି ସହ ମିଶିପାରେ ୟୁବିଆଇ, ବିଓଆଇ

ନୂଆଦିଲ୍ଲୀ,୧-୫: କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରରେ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୟୁନିୟନ ବ୍ୟାଙ୍କ  ଅଫ ଇଣ୍ଡିଆ(ୟୁବିଆଇ) ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)କୁ ମିଶାଇ ଦିଆଯାଇପାରେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।   ଆମକୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଅଥବା ତୃତୀୟ ତ୍ରୈମାସରେ ଏହି ମିଶ୍ରଣ ହୋଇପାରେ ବୋଲି ସେ କହିଛନ୍ତି। ବ୍ୟାଙ୍କ ବିକଳ୍ପ ଦେବାରେ ସକ୍ଷମ ନ ହେଲେ ଅଲ୍ଟରନେଟ ମେକାନିଜମ ଗ୍ରୁପ୍‌ ଉକ୍ତ ପ୍ରସ୍ତାବ ଦେଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ଏହି ମେକାନିଜମ ଜରିଆରେ ଗତବର୍ଷ ଅକ୍ଟୋବରରେ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ମିଶାଇ ଦେଇଥିଲେ। ତେବେ ଅନ୍ୟ ଜଣେ ଅଧିକାରୀ ଉକ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରିଛନ୍ତି। ଏବେ ଏଥିପାଇଁ ସମୟ ଆସିନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତାଙ୍କର କହିବାନୁଯାୟୀ, ବିଓଆଇ ଏବେ ଆର୍‌ବିଆଇର ପିସିଏରୁ ବାହାରିଛି। ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ପିଏନ୍‌ବି ମଧ୍ୟ ସୁଧାର ପ୍ରକ୍ରିୟା ସଦ୍ୟ ଆରମ୍ଭ କରିଛନ୍ତି। ଜଣେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ବ୍ୟାଙ୍କ ସହ ଜଡ଼ିତ କୌଣସି ସମସ୍ୟାର ସମାଧାନ ପାଇଁ ମିଶ୍ରଣ ଏକମାତ୍ର ସମାଧାନ ନୁହେଁ। ସରକାର ଏ ଦିଗରେ ଫୋକସ୍‌ କରିବା ଅନୁଚିତ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share