Categories: ବାଣିଜ୍ୟ

ପିଏନ୍‌ବି ସହ ମିଶିପାରେ ୩ ବ୍ୟାଙ୍କ

ନୂଆଦିଲ୍ଲୀ,୨୨-୫: କେନ୍ଦ୍ର ସରକାର ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶାଇ ଏକ ବଡ଼ ବ୍ୟାଙ୍କ ଗଠନ କରିବା ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ ଏସ୍‌ବିଆଇ ସହ ୫ ସହାୟକ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କର ମିଶ୍ରଣ ହେବା ପରେ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ପର୍ବ ଶେଷ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏସ୍‌ବିଆଇ ପରେ ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ କୁହାଯାଉଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୩ କ୍ଷୁଦ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି), ଆନ୍ଧ୍ରା ବ୍ୟାଙ୍କ ଏଂ ଆଲ୍ଲାହାବାଦ୍‌ ବ୍ୟାଙ୍କକୁ ମିଶାଇ ଦେବା ନେଇ ଯୋଜନା ପ୍ରସ୍ତୁତ ହେଉଛି। ଆସନ୍ତା ୩ ମାସ ମଧ୍ୟରେ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ, ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ନିକଟରେ କହିଥିଲେ ଯେ, ବିଶ୍ୱ ବଜାରରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ହେଲେ ଦେଶରେ କେତେକ ବଡ଼ ବ୍ୟାଙ୍କ ଗଠନ କରିବାକୁ ହେବ। ଏଥିପାଇଁ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶାଇ ଦିଆଯିବା ଆବଶ୍ୟକ। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ।

Share