ନୂଆଦିଲ୍ଲୀ,୨୮-୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ(ଆର୍ଟିଆଇ) ଅଧୀନରେ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲେ ହେଁ ତାହା ମିଳି ନ ଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟକର ରିଟର୍ନ ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲେ ହେଁ ପିଏମ୍ଓ ତାହା ଦେଇ ନ ଥିଲେ। ଆର୍ଟିଆଇ ଆଇନ ଅଧୀନରେ ତଥ୍ୟ ଦେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ସେଥିରେ କୁହାଯାଇଛି ଯେ, ମଗାଯାଇଥିବା ସୂଚନା ବ୍ୟକ୍ତିଗତ ସମ୍ପର୍କିତ ହୋଇଥିବାରୁ ଆର୍ଟିଆଇ ଆଇନର ଧାରା ୮(୧)(ଆଇ) ଅଧୀନରେ ମୋଦିଙ୍କ ଆୟକର ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାଥାଉ କି, ଏହି ଧାରା ଅଧୀନରେ ସାର୍ବଜନୀନ ହିତରେ ଲାଗୁ ନ ଥିଲେ ଏଭଳି ବ୍ୟକ୍ତିଗତ ସୂଚନାକୁ ପ୍ରକାଶ କରାଯାଇପାରିବ ନାହିଁ। କାରଣ ଏହା ବ୍ୟକ୍ତିଙ୍କ ଗୋପନୀୟତାରେ ଅଯଥା ହସ୍ତକ୍ଷେପ ବୋଲି ଧରାଯିବ। ତେବେ କେନ୍ଦ୍ର କିମ୍ବା ରାଜ୍ୟ ସୂଚନା ଅଧିକାରୀ ମନେକରନ୍ତି ଯେ, ଏହା ଯଦି ସାର୍ବଜନୀନ ହିତରେ ଲାଗିବ ତେବେ ସେ କ୍ଷେତ୍ରରେ ତଥ୍ୟ ପ୍ରକାଶ କରାଯାଇପାରିବ। ସେହିପରି ଏହି ଧାରାରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଯଦି କୌଣସି ବ୍ୟକ୍ତିଗତ ସୂଚନା ସଂସଦ କିମ୍ବା ବିଧାନସଭାରେ ଉପସ୍ଥାପନ କରାଯାଇପାରିବ, ତେବେ ସେ କ୍ଷେତ୍ରରେ ଏହାକୁ କୌଣସି ବ୍ୟକ୍ତିଙ୍କୁ ଦିଆଯିବାରେ ଅସୁବିଧା ନାହିଁ। ସୂଚନାଥାଉ କି, ଏନ୍ଏସ୍ଡିଏଲ୍ ଇ-ଗଭର୍ନାନ୍ସ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ପରିଚାଳିତ ଆୟକର ବିଭାଗର ଟିକସ ସୂଚନା ନେଟ୍ଓ୍ବର୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଗତ ୧୮ ବର୍ଷରେ ଅତିକମ୍ରେ ୫ ଥର ରିଫଣ୍ଡ ପାଇଛନ୍ତି।