Categories: ବାଣିଜ୍ୟ

ପିଏମ୍‌-କିଷାନରେ ଆଧାର ସଂଯୋଗ ଅବଧି ବଢିଲା

ନୂଆଦିଲ୍ଲୀ,୧୦-୧୦: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା (ପିଏମ୍‌-କିଷାନ) ଲାଗି ଆଧାର ସଂଯୋଗୀକରଣର ସମୟ ଅବଧିକୁ କେନ୍ଦ୍ର ସରକାର ବୁଧବାର ଆସନ୍ତା ମାସ ୩୦ ଯାଏ ବଢାଇ ଦେଇଛନ୍ତି। ଅର୍ଥାତ ଲୋକମାନେ ଏହି ଯୋଜନା ଲାଗି ନଭେମ୍ବର ମାସ ୩୦ ଯାଏ ଆଧାର ସଂଯୋଗ କରିବାକୁ ସୁଯୋଗ ପାଇବେ। ରବି ଋତୁ ଆରମ୍ଭ ହେବା ଆଗରୁ କୃଷକମାନେ ବିଭିନ୍ନ ଆନୁସଙ୍ଗିକ କୃଷି ଷରଞ୍ଜାମ କିଣିବା ଲାଗି ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସରକାର କହିଛନ୍ତି। ବୁଧବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଓଏ) ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ପିଏମ୍‌ କିଷାନରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ପଞ୍ଜିକୃତ ହୋଇଛନ୍ତି। କୃଷକଙ୍କୁ ବାର୍ଷିକ ୩ କିସ୍ତିରେ ୬ ହଜାର ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି। ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଯୋଗୁ କୃଷକଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ପ୍ରେରଣ କରାଯାଉଛି।
ଏହି ସୁବିଧାର ଲାଭ ନେବାକୁ ହେଲେ ଚଳିତ ବର୍ଷ ଅଗଷ୍ଟ ୧ ପରଠାରୁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଆସାମ, ମେଘାଳୟ, ଜମ୍ମୁ ଏବଂ କଶ୍ମର ଭଳି ସ୍ଥାନଗୁଡିକର କୃଷକଙ୍କ ଲାଗି ମାର୍ଚ୍ଚ ୨୦୨୦ ଯାଏ ଏଭଳି ନିୟମ ଲାଗୁ ହେବ ନାହିଁ। ଆଧାର ସଂଯୋଗୀକରଣ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଏହାର ଅବଧିକୁ ନଭେମ୍ବର ୩୦ ଯାଏ ବଢାଯାଇଥିବା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି। ଉକ୍ତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୭,୦୦୦ କୋଟି ଟଙ୍କା କୃଷକଙ୍କୁ ପ୍ରଦାନ କରିବା ନେଇ ବ୍ୟବସ୍ଥା କରାଯାଇଛି। ପ୍ରଥମ କିସ୍ତିରେ ୬.୭୬ କୋଟି, ଦ୍ୱିତୀୟରେ ୫.୧୪ କୋଟି ଏବଂ ତୃତୀୟ କିସ୍ତିରେ ୧.୭୪ କୋଟି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share