Categories: ବାଣିଜ୍ୟ

ପିଏମ୍‌ କିଷାନ ଯୋଜନା;ଡିସେମ୍ବର ସୁଦ୍ଧା ଯୋଡି ହେବେ ୧୦କୋଟି ଚାଷୀ

ନୂଆଦିଲ୍ଲୀ,୧୦-୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନା ଅଧୀନରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୦ କୋଟି ଚାଷୀଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର କହିଛନ୍ତି। ଏହି ଯୋଜନାରେ କୃଷକଙ୍କୁ ବର୍ଷରେ ୩ଟି କିସ୍ତିରେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଚଳିତବର୍ଷ ଫେବୃୟାରୀ ୨୪ରେ ଉତ୍ତରପ୍ରଦେଶର ଗୋରଖପୁରରୁ ଏହି ଯୋଜନା ଅରମ୍ଭ କରାଯାଇଥିଲା। ସେ କହିଛନ୍ତି ଯେ, ଅଦ୍ୟାବଧି ଏହି ଯୋଜନାରେ ୫,୮୮,୭୭,୧୯୪ ଜଣ ଚାଷୀଙ୍କୁ ସାମିଲ କରାଯାଇଛି। କ୍ଷୁଦ୍ର ଚାଷୀଙ୍କୁ ଇତିମଧ୍ୟରେ ୨ ହଜାର ଟଙ୍କାର ସହାୟତା ମିଳିସାରିଛି। ସେହିପରି ୩,୪୦,୯୩,୮୩୭ ଜଣଙ୍କୁ ଦ୍ୱିତୀୟ କିସ୍ତି ମିଳିଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ସରକାର ଏହି ଯୋଜନା ବାବଦରେ ୮୭,୨୧୭.୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରିଛନ୍ତି। ତୋମର କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ଦେଶର ଅନ୍ୟ ସମସ୍ତ ରାଜ୍ୟର ଚାଷୀଙ୍କୁ ଉକ୍ତ ଯୋଜନାରେ ସାମିଲ କରାଯାଉଛି। ଅଦ୍ୟାବଧି ପ୍ରଗତି ଭଲ ହେଉଛି। ସେ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ଦେଶର ପ୍ରାୟ ୧୪.୫ କୋଟି ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

Share