ପିଏମ୍‌ କିଷାନ ଯୋଜନା : ୧୫ ସୁଦ୍ଧା ହିତାଧିକାରୀ ତାଲିକା ଦିଅ

ଭୁବନେଶ୍ୱର,୮।୭(ବ୍ୟୁରୋ) : ଆସନ୍ତା ୧୫ ତାରିଖ ସୁଦ୍ଧା ଯୋଗ୍ୟ ପିଏମ୍‌-କିଷାନ୍‌ ଯୋଜନା ହିତାଧିକାରୀଙ୍କ ତାଲିକା ପ୍ରଦାନ କର। କେନ୍ଦ୍ର ବହୁ ଦିନ ପୂର୍ବରୁ ତାଲିକା ମାଗିଥିଲେ ବି ରାଜ୍ୟ ଏଯାବତ ତାଲିକା ପ୍ରଦାନ କରିନାହିଁ। ଏହି ମର୍ମରେ ପିଏମ୍‌-କିଷାନ ଯୋଜନା ସିଇଓ ବିବେକ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଯଦି ୧୫ ସୁଦ୍ଧା ରାଜ୍ୟ ତାଲିକା ପ୍ରକାଶ ନ କରେ, ତେବେ ସେମାନେ ଦ୍ୱିତୀୟ କିସ୍ତି ପାଇବାରୁ ବଞ୍ଚିତ ହେବେ। ରାଜ୍ୟ ସରକାର ପିଏମ୍‌-କିଷାନ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ଅପଲୋଡ୍‌ କରିବା ପରେ ହିଁ ଅର୍ଥ ମିଳିବ। ଚଳିତ ୪ ମାସ ପାଇଁ ଜୁଲାଇ ଶେଷ ସୁଦ୍ଧା ଅର୍ଥ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ରାଜ୍ୟମାନଙ୍କୁ ୧୫ ସୁଦ୍ଧା ତାଲିକା ମଗାଯାଇଛି।
ରାଜ୍ୟରେ ତାଲିକା ଅପଲୋଡ୍‌ କରିବା ଦାୟିତ୍ୱ ନୋଡାଲ ଅଫିସରମାନଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ତାଲିକା ଏଯାବତ୍‌ ସମ୍ପୂର୍ଣ୍ଣ ରୂପେ ଅପଲୋଡ୍‌ ହୋଇନାହିଁ। ତେଣୁ ହିତାଧିକାରୀଙ୍କ ନାମ ଅପଲୋଡ୍‌ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ରାଜ୍ୟକୁ ଅନୁରୋଧ କରିଥିବା ଜଣାପଡିଛି।

Share