ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ ଗୋୟଲ ଏବଂ ସୁରେଶ ଅଙ୍ଗଦି ମାସକର ଲେଖାଏ ବେତନ ଦାନ କରିବେ ବୋଲି କହିଥିବା ବେଳେ ୧୩ ଲକ୍ଷ ରେଳ ଓ ପିଏସ୍‌ୟୁ କର୍ମଚାରୀ ଦିନକର ବେତନ ଦାନ କରିବେ। ଏହିଭଳି ମୋଟ ୧୫୧ କୋଟି ଟଙ୍କା ପିଏମ୍‌-କେୟାର୍ସ ପାଣ୍ଠିକୁ ଯିବ ବୋଲି ରେଳମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାସକର ବେତନ ଉକ୍ତ ପାଣ୍ଠିକୁ ଦେବେ ବୋଲି କହିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)ର ଅଧିକାରୀମାନେ ଗୋଟିଏ ଦିନର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିବିଆଇରେ ପାଖାପାଖି ୬୦୦୦ ଅଧିକାରୀ ରହିଛନ୍ତି। ବିଭିନ୍ନ ବର୍ଗର ଲୋକେ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଦାନ କରିବା ଲାଗି ଆଗେଇ ଆସିଛନ୍ତି।
କରୋନା ବିରୋଧୀ ଲଢ଼େଇ ଲାଗି ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ଫଣ୍ଡ୍‌କୁ ବିଭିନ୍ନ କମ୍ପାନୀ ସେମାନଙ୍କର ସିଏସ୍‌ଆର୍‌ ପାଣ୍ଠି ଦାନ କରିପାରିବେ ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋସିଆଲ ମିଡିଆ ଜରିଆରେ ଘୋଷଣା କରିିଛନ୍ତି। କରୋନା ଯୋଗୁ ସୃଷ୍ଟ ଜରୁରୀ ସ୍ଥିତିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଏହି ପାଣ୍ଠିରୁ ସହାୟତା ଯୋଗାଇଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ପାଣ୍ଠିର ଅଧ୍ୟକ୍ଷ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏହାର ସଦସ୍ୟ ରହିଛନ୍ତି।

Share