Categories: ଖେଳ

ପିଏସ୍‌ଏଲ୍‌ରେ ମୋବାଇଲ ବିବାଦ

କରାଚୀ,୨୨ା୨- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଆଇସିସି ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଦୈନନ୍ଦିନ କାର୍ଯ୍ୟରେ ମୁଣ୍ଡ ଖେଳାଇବାକୁ ଚାହୁଁନାହିଁ। ଶୁକ୍ରବାର ରାତିରେ ପିଏସ୍‌ଏଲ୍‌ କ୍ଲବ କରାଚୀ କିଙ୍ଗ୍ସର ଜଣେ ଅଫିସିଆଲ ଡଗଆଉଟ୍‌ରେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଆଇସିସି କହିଛି, ଏହା ପାକିସ୍ତାନର ଘରୋଇ ଇଭେଣ୍ଟ। ଏଣୁ ଏ ସମ୍ପର୍କରେ କ’ଣ କରାଯିବା ଦରକାର ପିସିବି ଦେଖିବ। ତେବେ ଡଗ୍‌ଆଉଟ୍‌ରେ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି କ୍ଲବ ମାଲିକ ତାରିକ ଓ୍ବାସି ବୋଲି ସ୍ପଷ୍ଟ କରିଛନ୍ତି କରାଚୀ କିଙ୍ଗ୍ସ କୋଚ୍‌ ଡିନ୍‌ ଜୋନ୍ସ। ସମସ୍ତ ଟି୨୦ ଲିଗ୍‌ ଭଳି ଦଳର ମ୍ୟାନେଜର କିମ୍ବା ସିଇଓଙ୍କୁ ମୋବାଇଲ ବ୍ୟବହାର କରିବାର ଅନୁମତି ଅଛି। ସେ ସେତେବେଳେ ଆମ ପାଇଁ ପ୍ରାକ୍ଟିସ ବ୍ୟବସ୍ଥା କରୁଥିଲେ ବୋଲି ଟୁଇଟ୍‌ କରିଛନ୍ତି। କିନ୍ତୁ କୌତୂହଳର କଥା, ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ମୁତାବକ ମ୍ୟାଚ୍‌ରେ ଟସ୍‌ ପୂର୍ବରୁ ପ୍ରତିପକ୍ଷ ଦଳକୁ ଦିଆଯାଇଥିବା ଦଳୀୟ ଖେଳାଳିଙ୍କ ତାଲିକାରେ ଜାଭେଦ ରଶିଦ ମ୍ୟାନେଜର ବୋଲି ଲେଖାରହିଛି। ଆଇସିସି ନିୟମ ଭିତ୍ତିରେ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଟିମ୍‌ ମ୍ୟାନେଜ୍‌ମେଣ୍ଟର ସଦସ୍ୟଙ୍କୁ ଓ୍ବାକିଟକି ଲାଗି ଅନୁମତି ଅଛି। ଖେଳାଳି ଓ ଅଫିସିଆଲଙ୍କ ମୋବାଇଲ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଦଳ ସହ ଥିବା ଆଣ୍ଟି କରପ୍‌ସନ ଅଫିସିଆଲଙ୍କୁ ଦିଆଯାଏ। ପ୍ରତ୍ୟେକ ଦଳର ମ୍ୟାନେଜର ଫୋନ ରଖିପାରିବେ।

Share