Categories: ଖେଳ

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ ସିଜନ ଭଳି ଏଥର ମଧ୍ୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ପାଇଁ ଖେଳିବେ ବୋଲି ରବିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ‘ଏଲ୍‌ ଇକ୍ୱିପ୍‌’ ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବାର୍ସିଲୋନା କ୍ଲବକୁ ତାଙ୍କ ଟ୍ରାନ୍ସଫର ଏବେ ସମ୍ଭବ ନୁହେଁ। ଚଳିତ ସିଜନ ପିଏସ୍‌ଜି ଦଳ ସହ ଶେଷ କରିବେ ବୋଲି ନେମାର କହିଛନ୍ତି। ସ୍ପାନିଶ କ୍ରୀଡ଼ାଭିତ୍ତିକ ଖବରକାଗଜ ମୁଣ୍ଡୋ ଡେପୋର୍ଟିଭୋରେ ମଧ୍ୟ ସମାନ ପ୍ରକାର ରିପୋର୍ଟ ବାହାରିଛି। ୨୭ ବର୍ଷୀୟ ନେମାର ବିଶ୍ୱର ସବୁଠୁ ଦାମୀ ଖେଳାଳି। ତାଙ୍କୁ ଫ୍ରାନ୍ସ କ୍ଲବ ପିଏସ୍‌ଜି ୨୨୨ ନିୟୁତ ୟୁରୋ ମୂଲ୍ୟରେ ବାର୍ସିଲୋନାଠାରୁ ଦୁଇ ବର୍ଷ ପାଇଁ କିଣିଥିଲା। ଦୁଇ ସିଜନରେ ସେ ୫୮ ମ୍ୟାଚ୍‌ ଖେଳି ୫୧ ଗୋଲ କରିଛନ୍ତି।

Share