ପିଓକେରେ ସ୍ବାଧୀନତା ଦିବସ ପାଳିବେ ଇମ୍ରାନ୍‌

ଇସ୍‌ଲମାବାଦ,୧୪ା୮ (ଆଇଏଏନ୍‌ଏସ୍‌): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ବୁଧବାର ସ୍ବାଧୀନତା ଦିବସ ପାଳନ କରିବେ। ଏହାସହ ସେ ସେଠାକାର ବିଧାନସଭାକୁ ସମ୍ବୋଧିତ କରିବେ। ଜମ୍ମୁ-କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ନେଇ ଅନ୍ତର୍ଜାତୀୟ ସମୁଦାୟଠାରୁ କିଛି ସହଯୋଗ ନ ମିଳିବା ପରେ ଇମ୍ରାନ୍‌ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।
ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ କରାଯାଉଥିବାବେଳେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୧୪ ତାରିଖରେ ପାକିସ୍ତାନ ସ୍ବାଧୀନତା ଦିବସ ପାଳନ କରେ। ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ପ୍ରତିବାଦରେ ଭାରତର ସ୍ବାଧୀନତା ଦିବସକୁ ପାକିସ୍ତାନ ଏଥର କଳାଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ବୁଧବାର ପିଓକେ ରାଜଧାନୀ ମୁଜାଫରାବାଦରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହାସହ ସେଠାକାର କନ୍‌ଫରେନ୍ସ ହଲ୍‌ରେ ସର୍ବଦଳୀୟ ବୈଠକକୁ ସମ୍ବୋଧିତ କରିବେ। ଏହି ଅବସରରେ ଇମ୍ରାନ୍‌ ଅଲ୍‌ ପାର୍ଟି ହୁରିୟାତ୍‌ କନ୍‌ଫରେନ୍ସ ସଦସ୍ୟ ଓ ଅନ୍ୟ କଶ୍ମୀରୀ ନେତାମାନଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଥିବା ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ସୂଚନା ଦେଇଛନ୍ତି।

Share