ପିକ୍‌ଅପରେ ବେଆଇନ ଛେଳି ଚାଲାଣ, ୩ ଗିରଫ

ଆସିକା,୬ା୧୦(ଡି.ଏନ୍‌.ଏ.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରୁ ପୋଲିସ ଶନିବାର ବିଳମ୍ବିତ ରାତିରେ ବେଆଇନ ଭାବେ ୬୦ଟି ଛେଳି ଚାଲାଣ କରୁଥିବା ଏକ ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଝାଡଖଣ୍ଡ ରାଜ୍ୟର ବଳିନ୍ଦ୍ର ମାହିଲ, ମାତିନ କୁରେଶି ଏବଂ କବ୍ରଂ କୁରେଶି। ଅଭିଯୁକ୍ତମାନେ ଛେଳିଗୁଡିକୁ ରାଉରକେଲାରୁ ବ୍ରହ୍ମପୁର ଚାଲାଣ କରୁଥିଲା ବେଳେ ରାତି ପାଟ୍ରୋଲିଂ କରୁଥିବା ପୋଲିସ ହାବୁଡରେ ପଡିଥିଲେ । ଜୀବପ୍ରତି ଅମାନୁସିକତା, କ୍ଷମତାଠାରୁ ଅଧିକ ପରିବହନ ଅଭିଯୋଗରେ ଅଭିଯୁକ୍ତମାନଙ୍କ ବିରୋଧରେ ଆସିକା ଥାନାରେ ନଂ.୩୫୬/୧୯ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଉଦ୍ଧାର ଛେଳି ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିବା ବେଳେ ଅର୍ଦ୍ଧାଧିକ ଗୁରୁତର ଅବସ୍ଥାରେ ରହିଥିଲେ । ଆସିକା ପ୍ରାଣୀ ଚିକିତ୍ସକ ପ୍ରଭାତ କୁମାର ପରିଡା ଗୁରୁତର ହୋଇଥିବା ଛେଳି ଚିକିତ୍ସା କରିବା ପରେ ସେଗୁଡିକୁ ଗୋଲାପଲ୍ଲୀର ଜଣେ ବ୍ୟକ୍ତିଙ୍କ ଜିମା ଦିଆଯାଇଥିବା ପୋଲିସ କହିଛି ।