Categories: ରାୟଗଡା

ପିକ୍‌ଅପ୍‌-କାର ମୁହାଁମୁହିଁ : ପୁଅ ମୃତ, ମାଆ ଗୁରୁତର

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ସହର ଉପକଣ୍ଠ ବାଗ୍ରାଛକଠାରେ ପିକ୍‌ଅପ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ, ବୁଧବାର ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ (ଓଆର-୧୦-୦୭୪୭) ରାୟଗଡ଼ା ପଟୁ ଆସୁଥିବାବେଳେ କୋରାପୁଟ ପଟୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ କାରରେ କୋରାପୁଟ ମେଡିକାଲରୁ ଦଶମନ୍ତପୁର ପୋଡ଼ାଗଡ଼ ପଞ୍ଚାୟତର ପରଜାସୁକୁ ଗ୍ରାମକୁ ଫେରୁଥିବା ଆଶ୍ୱାସନା ଖରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ମାଆ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସେହିପରି ପିକ୍‌ଅପ୍‌ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ଗାଡ଼ିମାଲିକ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲେ ମଧ୍ୟ କ୍ଷତିପୂରଣ ଦାବି କରି ମୃତକଙ୍କ ସମ୍ପର୍କୀୟ ଓ ଶତାଧିକ ଗ୍ରାମବାସୀ ମେଡିକାଲ କଲେଜଠାରେ ଧାରଣାରେ ବସିଥିବା ଜଣାପଡ଼ିଛି। ଇତିମଧ୍ୟରେ ମୃତକଙ୍କ ପରିବାରକୁ ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍‌ ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ କରିବାବେଳେ ଜିଲା ଜରୁରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲାପରିଷଦ ଅଧ୍ୟକ୍ଷା ତୁଳସୀ କିରସାର୍ନୀ, ପ୍ରକାଶ ସାମଲ, ମୃତକଙ୍କ ଦାଦା ପ୍ରମୋଦ ଖରା ପ୍ରମୁଖ ଉପସ୍ଥିତ ଥିଲେ।