Categories: ଖେଳ

ପିଙ୍କ୍‌ ବଲ୍‌ ଟେଷ୍ଟରୁ ହାସନ ବାଦ୍‌

କୋଲକାତା,୨୦।୧୧(ପି.ଟି.)- ଶୁକ୍ରବାରଠାରୁ ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ବା ଫିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ରୁ ବାଂଲାଦେଶ ରିଜର୍ଭ ଓପନର ସୈଫ୍‌ ହାସନ ବାଦ୍‌ ପଡିଛନ୍ତି। ଭାରତ ବିପକ୍ଷ ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ପୂର୍ବରୁ ବାଂଲାଦେଶକୁ ଆଉ ଏକ ଝଟ୍‌କା ଲାଗିଛି। ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ବଦଳ ଖେଳାଳିଭାବେ ଫିଲ୍ଡିଂ କରିବାକୁ ଆସି ଅଙ୍ଗୁଳିରେ ଆଘାତ ପାଇଥିଲେ। ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୩୦ ରନରେ ବିଜୟୀ ହୋଇ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ହାସନଙ୍କୁ ବିଶ୍ରାମ ନେବାକୁ ମେଡିକାଲ ଟିମ୍‌ ପରାମର୍ଶ ଦେଇଛି। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ କୁହାଯାଇଛି। ପିଙ୍କ୍‌ ବଲ୍‌ ଟେଷ୍ଟରେ ହାସନ ପଦାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। ପ୍ରଥମ ଟେଷ୍ଟରେ ନିୟମିତ ଓପନର ଶଦମାନ ଇସ୍ଲାମ ଓ ଇମରୁଲ କାଏସ୍‌ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଫଳରେ ହାସନ ଦ୍ୱିତୀୟ ଟେଷ୍ଟ ଖେଳିବାର ଯଥେଷ୍ଟ ସମ୍ଭାବନା ଥିଲା। ମଙ୍ଗଳବାର ବାଂଲାଦେଶ ଏଠାରେ ଆସି ପହଞ୍ଚିଛି। ଭାରତୀୟ ଦଳର ସଦସ୍ୟମାନେ ମଧ୍ୟ ପର୍ଯ୍ୟୟକ୍ରମେ ଏଠାରେ ଆସି ପହଞ୍ଚିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମଥର ପାଇଁ ଭାରତ ଓ ବାଂଲାଦେଶ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଛନ୍ତି।

Share