ବେଙ୍ଗାଲୁରୁ,୨୯।୧୨: କର୍ନାଟକ ପେଜାଭର ମଠର ମୁଖ୍ୟ ବିଶ୍ୱେଶ ତୀର୍ଥ ସ୍ବାମୀଙ୍କର ରବିବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ଗତ ୨୦ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶନିବାର ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକତ୍ସା କରୁଥିବା ଡାକ୍ତର କହିଥିଲେ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ଏପଟେ ସ୍ବାମୀଜୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଶନିବାର ହସ୍ପିଟାଲରୁ ମଠକୁ ନିଆଯାଇଥିଲା। ଆଉ ରବିବାର ତାଙ୍କର ଦେହାନ୍ତ ହୋଇଥିବା ମଠ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରପ୍ପା ଶୋକ ପ୍ରକାଶ କରିଛନ୍ତି। ବିଶ୍ୱେଶ ତୀର୍ଥ ସ୍ବାମୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଏହାସହ କର୍ନାଟକ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି।