Categories: ଜାତୀୟ

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ ବିରୋଧରେ ବିଶେଷ ପ୍ରମାଣ ନ ଥିବାରୁ ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜଷ୍ଟିସ୍‌ ନୀତିନ ସାମ୍ବ୍ରେ ପିଟରଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ଦେଇଥିବାବେଳେ ଏହି ରାୟ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ଏଥିଯୋଗୁ ପିଟର ଏବେ ଜେଲରେ ହିଁ ରହିବେ।
ମିଳିଥିବା ସସର୍ତ୍ତ ଜାମିନରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସେ ତାଙ୍କର ପୁଅ ରାହୁଲ ମୁଖାର୍ଜୀଆ ଓ ଝିଅ ବିଧି ମୁଖାର୍ଜୀଆଙ୍କ ସମେତ ମାମଲାର ଅନ୍ୟ ସାକ୍ଷୀମାନଙ୍କୁ ଯୋଗାଯୋଗ କରିବେ ନାହିଁ। ତେବେ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୁପ୍ରିମକୋର୍ଟରେ ଅପିଲ ଫାଇଲ୍‌ କରିବାକୁ ସୁଯୋଗ ଦେବା ସକାଶେ ବେଲ୍‌ ଅର୍ଡର ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ରାୟ ଦେବା ବେଳେ ହାଇକୋର୍ଟ କହିଛନ୍ତି, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପିଟର ଭାରତରେ ନ ଥିଲେ। ଆବେଦନକାରୀ ପିଟର ଜେଲରେ ୪ ବର୍ଷ ରହିସାରିଲେଣି। ଇତିମଧ୍ୟରେ ତାଙ୍କର ବାଇପାସ୍‌ ସର୍ଜରି କରାଯାଇଛି। ରାଜସାକ୍ଷୀ ଶ୍ୟାମବର ରାଏଙ୍କ ବୟାନକୁ ଛାଡ଼ିଦେଲେ ଏହି ଷଡ଼ଯନ୍ତ୍ରରେ ପିଟରଙ୍କ ସମ୍ପୃକ୍ତି ନେଇ ଅନ୍ୟ କିଛି ପ୍ରମାଣ ନାହିଁ। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରା ହତ୍ୟାକାଣ୍ଡରେ ପିଟରଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ମୁଖାର୍ଜୀଆ ଓ ତାଙ୍କର ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ସିବିଆଇ ପକ୍ଷରୁ ଅଭିଯୋଗ ହୋଇଛି। ପ୍ରକାଶ ଯେ ୨୦୧୫ ନଭେମ୍ବର ୧୯ରେ ୬୪ ବର୍ଷୀୟ ପିଟରଙ୍କୁ ତାଙ୍କ ମୁମ୍ବାଇ ବାସଭବନରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ ଏପ୍ରିଲ ମାସରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ଏବଂ ସଞ୍ଜୀବ ଖାନ୍ନା ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ପ୍ରକାଶ ଯେ ୨୪ ବର୍ଷୀୟା ଶିନା ହେଉଛନ୍ତି ଇନ୍ଦ୍ରାଣୀଙ୍କ ଝିଅ। ଡ୍ରାଇଭର ଶ୍ୟାମବର ରାଏ ୨୦୧୫ରେ ଗିରଫ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

Share