Categories: ଜାତୀୟ

ପିଟିଶନରେ ସ୍ବାକ୍ଷର କଲେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ, ବିଦ୍ୱାନ: ନାଗରିକତ୍ୱ ବିଲ୍‌ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇ ରାଜ୍ୟ ସଭାରେ ଉପସ୍ଥାପିତ ହେବାକୁ ଯାଉଥିବାବେଳେ ଏହା ବିରୋଧରେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଓ ବିଦ୍ୱାନ ଏକ ସ୍ବାକ୍ଷର ଅଭିଯାନ ଚଳାଇଛନ୍ତି। ଉକ୍ତ ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ପିଟିଶନରେ ସେମାନେ ଦାବି କରିଛନ୍ତି। ଏହା ଆଇନରେ ପରିଣତ ହେଲେ ଭାରତ ଏକ ଅସାମ୍ବିଧାନିକ ଜାତିତନ୍ତ୍ରରେ ପରିଣତ ହେବ ବୋଲି ସ୍ବାକ୍ଷରକାରୀଙ୍କ ମଧ୍ୟରେ ଥିବା ପ୍ରଖ୍ୟାତ୍‌ ଶିକ୍ଷାବିତ୍‌ ପ୍ରତାପଭାନୁ ମେହେଟା କହିଛନ୍ତି।
ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନଙ୍କ ମତରେ ପ୍ରସ୍ତାବିତ ବିଲ୍‌ରେ ଧର୍ମକୁ ନାଗରିକତ୍ୱର ଏକ ମାନଦଣ୍ଡ ଭାବେ ଗ୍ରହଣ କରାଗଲେ ସମ୍ବିଧାନର ମୌଳିକ ଢାଞ୍ଚା ସହିତ ଏହାର ଅସଙ୍ଗତି ସୃଷ୍ଟି ହେବ। ତେଣୁ ରାଜ୍ୟ ସଭାରେ ଏହା ଗୃହୀତ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ନାଗରିକ ଅଧିକାର କର୍ମୀ ହର୍ଷ ମନ୍ଦେର ଟୁଇଟ୍‌ କରିଛନ୍ତି। ସେହିପରି ଐତିହାସିକ ରାମଚନ୍ଦ୍ର ଗୁହା ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶାହା ହେଉଛନ୍ତି ବୀର ସାବରକରଙ୍କ ଜଣେ ଦୃଢ଼ ସମର୍ଥକ। ମହମ୍ମଦ ଅଲି ଜିନ୍ନାଙ୍କ ଦୁଇରାଷ୍ଟ୍ର ସିଦ୍ଧାନ୍ତ ସହ ତାଙ୍କର କୌଣସି ବିବାଦ ନାହିଁ।

Share